Unknown

 

 

 

 

 

 

 

 

 

 

ନୂତନ ଲିପି ସଂସ୍କାର

କାମଦେବ ତ୍ରିପାଠୀ

 

……………………………ସମୀପରେ

 

ଦେଶର ଏକ ବୃହତ୍ତମ ଜଟିଳ ସମସ୍ୟାର ସମାଧାନ ଉଦ୍ଦେଶ୍ୟରେ ଆଗତ କରୁଅଛି ।

 

C/o. M/s. H. Naik & Co

 

କଟକ-୧

 

କାମଦେବ ତ୍ରିପାଠୀ

ତା ୩,୨,୧୯୬୮

 

 

Image

ଉତ୍କଳମଣି୰ଗୋପବନ୍ଧୁ

 

ଉତ୍‌ସର୍ଗ

 

ଦେଶର ସମସ୍ୟା-ସମାଧାନ-ସୂଚକ ‘‘ନୂତନ ଲିପିସଂସ୍କାର’’ ଯେଉଁ ମହାପୁରୁଷଙ୍କ ଅଶ୍ରୁବାରି ଦୁର୍ଗତର କ୍ଳେଶ-ମୋଚନରେ ଅବାରିତ ଥିଲା, ଯାହାଙ୍କର ଦେଶ ଓ ଦଶ ଲାଗି ତ୍ୟାଗ ଆଜି ଦେଶବାସୀଙ୍କୁ ଅନୁପ୍ରାଣିତ କରୁଛି, ସେହି ଉତ୍କଳମଣି୰ଗୋପବନ୍ଧୁଙ୍କ ଚରଣ-କମଳ ତଳେ ଅର୍ପଣ କଲି ।

 

 

କାମଦେବ

 

ତା ୩/୨/୧୯୬୮

 

ମୁଖବନ୍ଧ

 

ସର୍ବଭାରତୀୟ ଲିପିରେ ସମନ୍ୱୟ ସ୍ଥାପନ ପନ୍ଥା ନିର୍ଣ୍ଣୟ କରିବା ସହଜସାଧ୍ୟ ବୋଲି କହିହେବ ନାହିଁ । ପରମେଶଙ୍କ ପ୍ରେରଣାବଶରୁ ମୁଁ ଆପଣମାନଙ୍କ ନିକଟରେ ତଦୁଦ୍ଦେଶ୍ୟରେ ଯେଉଁ କଳ୍ପନା-ରାଜ୍ୟରେ ବୁଲି ବୁଲି ଲକ୍ଷ୍ୟସ୍ଥଳରେ ପହଞ୍ଚି ପାରିଛି ବୋଲି ଆଶା ପ୍ରକାଶ କରୁଛି, ତାର ବାସ୍ତବତା ଆପଣମାନେ ବିଚାର କରିବା ଅଭିପ୍ରାୟରେ ମୋର ଚିନ୍ତା ଓ କଳ୍ପନାର ପରିସରକୁ ‘‘ନୂତନ ଲିପି-ସଂସ୍କାର’’ ରୂପରେ ଉପସ୍ଥାପିତ କରୁଛି । ଆପଣମାନଙ୍କର ଧୀମତ୍ତା, ପ୍ରବୀଣତା ଓ ଅଭିଜ୍ଞତା ଦୃଷ୍ଟିରୁ ମୋର କଳ୍ପନାର ମୂଲ୍ୟ ନିର୍ଣ୍ଣିତ ହୋଇପାରିବ, ଏତିକି ମୋର ଆଶା ଓ ନିବେଦନ-

 

ଏହି ‘‘ନୂତନ-ଲିପି-ସଂସ୍କାର’’ରେ ଉପକ୍ରମଣିକାରୁ ଉପସଂହାର ମଧ୍ୟରେ ଆଉ ପନ୍ଦରଟି ପ୍ରସଙ୍ଗ ସ୍ଥାନ ପାଇଛି; ଯଥା :-୧- ସଂସ୍କାରୋପ-ଯୋଗିତା, ୨-ସଂଖ୍ୟାନୁଗତ ଲିପି, ୩-ହଳନ୍ତ ବ୍ୟବହାର, ୪-ବିନ୍ଦୁ ପ୍ରୟୋଗ, ୫-ବନାନପଦ୍ଧତିର ଉପକାରିତା, ୬-ହସ୍ତଲିଖନ, ୭-ଶିଶୁଶିକ୍ଷା, ୮-ପଠନ, ୯-ମୁଦ୍ରଣ, ୧୦-ସ୍ଥିତାବସ୍ଥା, ୧୧-ରୋମାନ୍‌ ଲିପିର ଅପକୃଷ୍ଟତା, ୧୨-ଦେବନାଗରୀ ଲିପିର ପ୍ରସାର, ୧୩-ପ୍ରସ୍ତାବିତ ପଦ୍ଧତିର ପ୍ରଚାର, ୧୪-ଯାନ୍ତ୍ରିକ ପ୍ରୟୋଗ ପକ୍ଷେ ଗ୍ରହଣୀୟ ଅକ୍ଷର ଏବଂ ୧୫-ହିନ୍ଦୀ ଓ ହିନ୍ଦସ୍ତାନୀ ଭାଷା ଇତ୍ୟାଦି ପ୍ରତ୍ୟେକଟିର ବିଚାର ।

 

ବିନ୍ଦୁଯୁକ୍ତ ଟାଇପ୍‌ ତିଆରି ହୋଇ ନ ଥିବାରୁ ବିନ୍ଦୁ ଥିବା ସ୍ଥଳେ ଟିକିଏ ଫାଙ୍କା ରହିବ ଏଥିରେ, କିନ୍ତୁ ସ୍ୱତନ୍ତ୍ର ଟାଇପ୍‌ ତିଆରି ପରେ ଏପରି ଫାଙ୍କ ଆପେ ଆପେ ଅପସାରିତ ହୋଇଯିବ-

 

ଏହି ଲିପି-ସଂସ୍କାର ସଂକ୍ରାନ୍ତରେ ମୁଁ ମୋର ଯଥାସାଧ୍ୟ ଚେଷ୍ଟାରେ ପ୍ରବୀଣ ସାହିତ୍ୟିକ, ବୈୟାକରଣିକ, ସୁବିଜ୍ଞ, ବିଶେଷଜ୍ଞ, ପରିବେଷକ ତଥା ସଂପାଦକ, ବନ୍ଧୁ ଏବଂ ନୂତନ ପରିଚିତ ସୁଧୀବର୍ଗଙ୍କ ସମ୍ପର୍କରେ ଆସି, ଉକ୍ତ ବ୍ୟକ୍ତିବିଶେଷଙ୍କଠାରୁ ଆଲୋଚନାକ୍ରମେ, ପ୍ରରୋଚନାକ୍ରମେ, ସୂଚନାକ୍ରମେ ବା ପ୍ରକାଶନକ୍ରମେ ସାହାଯ୍ୟ ଲାଭ କରି ମୋର ଅଭୀଷ୍ଟ ମାର୍ଗରେ ଅଗ୍ରସର ହୋଇପାରିଥିବାରୁ ଏବଂ ସର୍ବପ୍ରଥମରୁ ଶ୍ରୀଯୁକ୍ତ କାଳିନ୍ଦୀଚରଣ ପାଣିଗ୍ରାହୀଙ୍କ ସମର୍ଥନ ମୋର ପ୍ରଗତିକୁ ଅବ୍ୟାହତ ରଖିଥିବାରୁ ଏପରି ମୋର ପରମ ମିତ୍ର ସହାୟକବର୍ଗଙ୍କୁ ଏତଦ୍ଦ୍ୱାରା କୃତଜ୍ଞତା ଜ୍ଞାପନ କରୁଛି ।

 

ପ୍ରବୀଣ ସାହିତ୍ୟିକ ଶ୍ରୀଯୁକ୍ତ ବିପିନବିହାରୀ ରାୟ. ବୟୋବୃଦ୍ଧ ବୈୟାକରଣିକ ଶ୍ରୀଯୁକ୍ତ କୁଳମଣି ଦାଶ, ଭାଷାବିତ୍‌ ଅଧ୍ୟାପକ ଶ୍ରୀଯୁକ୍ତ ଗୋଲୋକବିହାରୀ ଧଳ ଓ ଲବ୍‌ଧପ୍ରତିଷ୍ଠ ସାହିତ୍ୟିକ ଶ୍ରୀଯୁକ୍ତ କାଳିନ୍ଦୀଚରଣ ପାଣିଗ୍ରାହୀ ଶ୍ରମ ସ୍ୱୀକାର କରି ଏହି ସଂସ୍କାର ବିଷୟରେ ନିଜ ନିଜର ଅଭିମତ ଦେଇଥିବାରୁ ସେମାନଙ୍କୁ ମୋର ବିଶେଷ କୃତଜ୍ଞତା ଜ୍ଞାପନ କରୁଛି ।

 

ପୁନଶ୍ଚ ବଦାନ୍ୟ, ଗୁଣଗ୍ରାହୀ, କର୍ମନିଷ୍ଠ, ଆତ୍ମପ୍ରତିଷ୍ଠ, ଆତ୍ମନିର୍ଭରଶୀଳ, ଅପ୍ରତିଦ୍ୱନ୍ଦୀ ଅର୍ଥ-ବିନିଯୋଗ-ସମୀକ୍ଷକ ଶ୍ରୀଯୁକ୍ତ ହୃଦୟାନନ୍ଦ ନାୟକ, କଟକ ମହୋଦୟଙ୍କ ସମର୍ଥନ ଓ ଉତ୍ସାହ-ବଳରେ ଈଦୃଶ ଲିପ-ସଂସ୍କାର କର୍ମରେ ବ୍ରତୀ ହୋଇ ତଜ୍ଜନିତ ‘‘ନୂତନ-ଲିପି-ସଂସ୍କାର’’କୁ ଆଜି ତାଙ୍କର ଅଯାଚିତ ଆନୁକୂଲ୍ୟରୁ ରୂପ ପ୍ରକାଶ କରିବାର ସୁଯୋଗ ଲାଭ କରି ଉଚ୍ଛ୍ୱସିତ ଆହ୍ଳାଦରେ ମୋର ଅନୁରକ୍ତି ପ୍ରକାଶ କରୁଛି ।

 

ଶ୍ରୀଯୁକ୍ତ ରାମକୃଷ୍ଣ ନନ୍ଦ ବି.ଏ., ଡି, ଇଡ଼ି ଶ୍ରମସ୍ୱୀକାର କରି ପ୍ରୁଫ୍ ଦେଖିବାଦ୍ୱାରା ଉପକୃତ ହୋଇ ତାଙ୍କୁ ମୋର ଧନ୍ୟବାଦ ଦେଉଅଛି ।

 

ଶେଷଭାଗରେ ଏ ସମ୍ବନ୍ଧରେ ପ୍ରାପ୍ତ ଅଭିମତ ସନ୍ନିବେଶିତ କରାଯାଇଛି ।

 

ପରିଶେଷରେ ବିଭିନ୍ନ ଲିପିରେ ବିନ୍ଦୁ-ପ୍ରୟୋଗ ପ୍ରଦର୍ଶିତ ହୋଇଛି ।

 

ତା ୨୧/୧/୧୯୬୮

କାମଦେବ

କଟକ

 

 

ସୂଚୀପତ୍ର

 

୧.

ଉପକ୍ରମଣିକା

୨.

ସଂସ୍କାରୋପଯୋଗିତା-ପ୍ରସଙ୍ଗ

୩.

ସଂଖ୍ୟାନୁଗତ ଲିପି-ପ୍ରସଙ୍ଗ

୪.

ହଳନ୍ତ ବ୍ୟବହାର-ପ୍ରସଙ୍ଗ

୫.

ବିନ୍ଦୁ-ପ୍ରୟୋଗ-ପ୍ରସଙ୍ଗ

୬.

ବନାନ-ପଦ୍ଧତିର ଉପକାରିତା-ପ୍ରସଙ୍ଗ

୭.

ହସ୍ତଲିଖନ-ପ୍ରସଙ୍ଗ

୮.

ଶିଶୁଶିକ୍ଷା-ପ୍ରସଙ୍ଗ

୯.

ପଠନ-ପ୍ରସଙ୍ଗ

୧୦.

ମୁଦ୍ରଣ-ପ୍ରସଙ୍ଗ

୧୧.

ସ୍ଥିତାବସ୍ଥା-ପ୍ରସଙ୍ଗ

୧୨.

ରୋମାନ୍ ଲିପିର ଅପକୃଷ୍ଟତା-ପ୍ରସଙ୍ଗ

୧୩.

ଦେବନାଗରୀ ଲିପିର ପ୍ରସାର-ପ୍ରସଙ୍ଗ

୧୪.

ପ୍ରସ୍ତାବିତ ପଦ୍ଧତିର ପ୍ରଚାର-ପ୍ରସଙ୍ଗ

୧୫.

ଯାନ୍ତ୍ରିକ ପ୍ରୟୋଗ ପକ୍ଷେ ଗ୍ରହଣୀୟ ଅକ୍ଷର-ପ୍ରସଙ୍ଗ

୧୬.

ହିନ୍ଦୀ ଓ ହିନ୍ଦସ୍ତାନୀ ଭାଷା-ପ୍ରସଙ୍ଗ

୧୭.

ଉପସଂହାର

୧୮.

ଅଭିମତ

୧୯.

ଇଂରେଜୀ ସମ୍ବାଦ

୨୦.

ଦେବନାଗରୀରେ ନୂତନ ଲିପି ସଂସ୍କାର

୨୧.

ବିନ୍ଦୁ ପ୍ରଯୋଜିତ ଭାରତୀୟ ଲିପି

 

***

 

ଉପକ୍ରମଣିକା

 

ଆମ୍ଭ ଭାରତୀୟ ଭାଷାମାତ୍ରେ ସଂସ୍କୃତ-ଅନୁସୃତ ବା ସଂସ୍କୃତଆଶ୍ରିତ ଭାଷା । ତେଣୁ ଭାଷା ବିଭିନ୍ନ ହୋଇ ଲିପି ଅଭିନ୍ନ ହେଲେ ପ୍ରଦେଶାନ୍ତର ଭାଷା ପଠନକ୍ରମରେ ବୋଧଗମ୍ୟ ହୋଇପାରନ୍ତା । ସେଥିପାଇଁ ଲିପି-ସଂସ୍କାର ସମ୍ବନ୍ଧରେ ପର୍ଯ୍ୟାଲୋଚନା ଉଦ୍ଦେଶ୍ୟରେ ଏଠାରେ ମୁଁ ଯାହା କହିବାକୁ ଯାଉଛି, ଏହା ପୂର୍ବରୁ ଆମ୍ଭମାନଙ୍କ ନମସ୍ୟ ସ୍ୱନାମଧନ୍ୟ ପଣ୍ଡିତ ୰ ନୀଳକଣ୍ଠ ଦାଶ ମହୋଦୟ ଓ ଅନ୍ୟ କେତେ ବିଜ୍ଞ ସ୍ୱଦେଶପ୍ରେମୀ ଆମ୍ଭମାନଙ୍କର ଲିପି-ସଂସ୍କାରର ଆବଶ୍ୟକତା ଉପଲବ୍‌ଧି କରିଛନ୍ତି ଏବଂ ସେ ଦିଗରେ ସେମାନଙ୍କର ଚିନ୍ତାଧାରା-ପ୍ରସୂତ ଲିପି-ସଂସ୍କାରର ଆଦର୍ଶବାଦ ସାର୍ବଜନୀନ ବିଚାର ଓ ଗ୍ରହଣ ଲାଗି ଉପସ୍ଥାପିତ କରିଛନ୍ତି । ଏ ପ୍ରସଙ୍ଗରେ ଉତ୍କଳ-ଗୌରବ ୰ ମଧୁସୂଦନ ଦାସ ସର୍ବ ପ୍ରଥମେ ୧୮୮୧ ଖ୍ରୀ:ଅ: ସେପ୍ଟେମ୍ବର ତା ୨୬ରେ କଟକରେ ଆମ ଦେଶବାସୀଙ୍କୁ Speech on ‘‘Unification in Indian Alphabets’’ (‘‘ଭାରତୀୟ ଲିପିମାନଙ୍କ ମଧ୍ୟରେ ସମନ୍ୱୟ ସ୍ଥାପନ’’ ବାଣୀ) ଶୁଣାଇଥିଲେ । ଏହି ଦୀର୍ଘକାଳ ମଧ୍ୟରେ ଲିପି-ସଂସ୍କାର ବିଷୟରେ ଯାହା କରାଯାଇଛି, ଏ ବିଷୟରେ ମୋର ଆଲୋଚନା କରିବାର ନାହିଁ । ତେବେ ମୁଁ ଏତିକି କହିବି ଯେ ପୂର୍ବ ଉଦ୍ୟୋକ୍ତାମାନଙ୍କର ପ୍ରଚେଷ୍ଟା ମୋତେ ଅନୁପ୍ରାଣିତ କରିଛି, ଏଣୁ ସେମାନଙ୍କ ପାଖରେ ମୋର ଆନ୍ତରିକ କୃତଜ୍ଞତା ଜ୍ଞାପନ କରୁଛି ।

 

***

 

ସଂସ୍କାରୋପଯୋଗିତା-ପ୍ରସଙ୍ଗ

 

ଲିପି-ସଂସ୍କାର ଦିଗରେ ଅନୁପ୍ରାଣିତ ହୋଇ ମୁଁ ପ୍ରଥମେ ଚିନ୍ତାକଲି ଏହି ସଂସ୍କାରର ଆବଶ୍ୟକତା କେଉଁ ଦୃଷ୍ଟିରୁ । ଆମର ଯେଉଁ ଲିପି ଅଛି, ସେଥିରେ ମୁଦ୍ରଣକାର୍ଯ୍ୟ ପରିଚାଳିତ ହୋଇପାରୁଛି, କେବଳ ଇକାର ଉକାର ଆଦି ମାତ୍ରା, ବଫଳା ନଫଳା ଆଦି ଫଳା ବା ବର୍ଣ୍ଣଫଳକ ମୁଦ୍ରଣବେଳେ ଭାଙ୍ଗି ଯାଉଥିବାରୁ ସର୍ବଥା ବିଶୁଦ୍ଧ ମୁଦ୍ରଣ ସମ୍ଭବ ହେଉନାହିଁ । ଦ୍ୱିତୀୟରେ ଆମ ସ୍ୱାଧୀନ ଦେଶରେ ଆମେ ସ୍ୱାଧୀନ ଅଧିବାସୀ ନିଜ ପ୍ରାନ୍ତୀୟ ଲିପିରେ ଆମ୍ଭମାନଙ୍କର ରାଜ୍ୟ-ସ୍ତରରେ ସମସ୍ତ କାର୍ଯ୍ୟ-ନିର୍ବାହ ପରିକଳ୍ପନାରେ, ଆମ୍ଭମାନଙ୍କର ସର୍ବବିଧ ପ୍ରାନ୍ତୀୟ ଲିପିର ଟାଇପ୍‌-ରାଇଟର ବ୍ୟବହାରର ପ୍ରୟୋଜନୀୟତା ପକ୍ଷେ, ଆମ୍ଭ ଓଡ଼ିଆ ଲିପିର ମଧ୍ୟ ସାମାନ୍ୟ ସଂସ୍କାର ସହିତ ଟାଇପ୍‌ରାଇଟର ପ୍ରସ୍ତୁତି ଦିଗରେ, ଆମ୍ଭ ଦେଶର ଅନ୍ୟ ପ୍ରାନ୍ତୀୟ ଭାଇମାନଙ୍କ ସଙ୍ଗେ ଯେଉଁମାନଙ୍କ ସାଧୁ ଚେଷ୍ଟାରୁ ସମାସୀନ ହୋଇ ପାରିଛୁ, ସେମାନଙ୍କୁ ମୁଁ ମୋର ଉଚ୍ଛ୍ୱସିତ ପ୍ରଶଂସା ଜ୍ଞାପନ ନ କରି ରହିପାରୁ ନାହିଁ । ତଥାପି ସେ ଦିଗରେ କେବଳ ଆମ ପ୍ରଦେଶରେ ନୁହେ, ସର୍ବତ୍ର ଗୋଟିଏ ଅଭାବ ଥିବା କଥା ମୋ ମନକୁ ଆସିଛି-ସେ କଥାଟି ହେଲା ଏହି ଭାରତୀୟ ବିଭିନ୍ନ ପ୍ରାନ୍ତରେ ଟାଇପ୍‌ରାଇଟର ହେଲା ସତ କିନ୍ତୁ ସେ ସବୁର ଗୋଟିଏ ପ୍ରକାର କି-ବୋର୍ଡ଼ (Key Board) ହେବା ସମ୍ଭବ ହୋଇନାହିଁ ଏବଂ ଯେଉଁ ପ୍ରକାର Key Board କରାଯାଇଛି, ତାହା ମଧ୍ୟ ଟେଲିପ୍ରିଣ୍ଟର ପାଇଁ ବ୍ୟବହୃତ ହେବାର ସମ୍ଭାବନା ନାହିଁ । ତୃତୀୟ ବିଷୟ ହେଲା- ବର୍ତ୍ତମାନର ଯାନ୍ତ୍ରିକ ଯୁଗରେ ମନୋକମ୍ପୋଜ ଆଦିର ଆବଶ୍ୟକତା ଦିଗରେ ଅନ୍ୟ ପ୍ରାନ୍ତୀୟ ଭାଇମାନଙ୍କ ସଙ୍ଗେ ଆମ ରାଜ୍ୟର ଭାଇମାନେ ଯେ ସମକକ୍ଷ ହେବାକୁ ଅବହେଳା କରିଛନ୍ତି ଏପରି ନୁହେଁ; ତଥାପି ମନୋକମ୍ପୋଜରେ ମଧ୍ୟ ଟାଇପ୍‌ରାଇଟର ତୁଲ୍ୟ ଅସୁବିଧା ରହିବା ନିଶ୍ଚିତ ।

 

ଉଲ୍ଳିଖିତ ପ୍ରଚେଷ୍ଟା ମଧ୍ୟରେ ଭାରତୀୟ ଐକ୍ୟର ଯେ ଅଭାବ ରହୁଛି, ଏଥିରେ କାହାରି ଦ୍ୱିଧା ପ୍ରକାଶ କରିବାର ନାହିଁ । ତଦ୍ଦୃଶ ଆମ ଦେଶର ବିଭିନ୍ନ ଭାଷାଭାଷୀ ବିଭିନ୍ନ ରାଜ୍ୟର ବିଭିନ୍ନ ଗୋଷ୍ଠୀ (ଜାତି) ମାନଙ୍କର ବିଭିନ୍ନ ଲିପି ପ୍ରଚଳନ ଦ୍ୱାରା ଅର୍ନ୍ତପ୍ରାଦେଶିକ ଭାବବିନିମୟ ହୋଇପାରୁ ନାହିଁ । ଏଣୁ ଆମ୍ଭମାନଙ୍କ ମଧ୍ୟରେ ଆନ୍ତରିକ ସହଯୋଗର ଅଭାବବଶତଃ ସର୍ବଭାରତୀୟ ଜାତୀୟତା କ୍ଷୁଣ୍ଣ ହେବାର ଆଶଙ୍କା କ୍ରମେ ଗୁରୁତର ହେଉଥିବାର ବର୍ତ୍ତମାନ ଲକ୍ଷ୍ୟ କରାଯାଉଛି । ଆମର ଜାତୀୟତା କ୍ଷୁଣ୍ଣ ନ ହେବାକୁ ଚେଷ୍ଟା କରିବା ପ୍ରତ୍ୟେକ ଦେଶବାସୀଙ୍କର କର୍ତ୍ତବ୍ୟ ହେଲେ ହେଁ ଭାରତୀୟ ଲିପିମାନଙ୍କରେ ସମନ୍ୱୟ ସ୍ଥାପନଦ୍ୱାରା ଉପରୋକ୍ତ ଅନୈକ୍ୟର ଦୂରୀକରଣ ସଙ୍ଗେ ଆମ ଦେଶର ପ୍ରତ୍ୟେକ ପ୍ରାନ୍ତୀୟ ଲିପିକୁ ଅନ୍ୟମାନଙ୍କର ପଠନୋପଯୋଗୀ କରାଯାଇ ପାରିଲେ, କାଳକ୍ରମେ ଆମ୍ଭମାନଙ୍କର ବିଭିନ୍ନ ପ୍ରାନ୍ତୀୟ ଲିପି ସାହାଯ୍ୟରେ ବିଭିନ୍ନ ସାହିତ୍ୟ ମାଧ୍ୟମରେ ଆମ୍ଭମାନଙ୍କ ମଧ୍ୟରେ ଭ୍ରାତୃଭାବ ସୁଦୃଢ଼ କରିହେବ ଓ ଆମ୍ଭ ଦେଶର ଲିପିସମୂହ ବିଭିନ୍ନ ରୂପରେ ମଧ୍ୟ ଭାରତୀୟ-ଐକ୍ୟାଭରଣରେ ନିଜ ନିଜର ସରଳ-ଉଦାର-ସୌନ୍ଦର୍ଯ୍ୟ ବିକାଶ କରି ବିଭିନ୍ନ ପ୍ରାନ୍ତୀୟଙ୍କର ମଧ୍ୟ ଅନୁରକ୍ତିଭାଜନ ହୋଇପାରିବେ । ଏହି ଭାବର ବଶବର୍ତ୍ତୀ ହୋଇ ମୁଁ ନାନାପ୍ରକାର ଚିନ୍ତା କରିବାକୁ ଲାଗିଲି । ଶେଷରେ ବୁଝିଲି ଯେ- (୧) ଆମ ଲିପିରେ ମାତ୍ରା, ଫଳା ଓ ଯୁକ୍ତାକ୍ଷର-ବହୁଳତା ଗୋଟିଏ ପ୍ରାନ୍ତୀୟ ଲିପିକୁ ଅନ୍ୟ ପ୍ରାନ୍ତୀୟ ଜନତାର ପଠନୋପଯୋଗୀ ହେବାରେ ବିଶେଷ ପ୍ରତିବନ୍ଧକ ହେଉଛି, (୨) ଏହି କାରଣ ବଶରୁ ଟାଇପ୍‌ରାଇଟର, ମନୋକମ୍ପୋଜ ଆଦି ଯନ୍ତ୍ର ଗୋଟିଏ ସାଧାରଣ ଗଠନପ୍ରଣାଳୀର ପର୍ଯ୍ୟାୟଭୁକ୍ତ ହେଉନାହିଁ, (୩) ଆମ୍ଭର ପ୍ରଚଳିତ ମୁଦ୍ରଣ କାର୍ଯ୍ୟରେ ମାତ୍ରାଫଳା ଭାଙ୍ଗିବାଦ୍ୱାରା ମୁଦ୍ରିତ ବିଷୟ ପ୍ରାୟତଃ ଅଶୁଦ୍ଧ ହେବା ସଙ୍ଗେ ଏହି ଭାଙ୍ଗିବା ଭୟରୁ ଲିପିକୁ ଆଶାନୁରୂପ କ୍ଷୁଦ୍ରତମ ଆକାରରେ ବ୍ୟବହାର କରି ହେଉ ନାହିଁ । ଏବଂ ବିଧ ବ୍ୟାପକ ଅନ୍ତରାୟ ହେଉଥିବା ମାତ୍ରା, ଫଳା ଓ ଯୁକ୍ତାକ୍ଷରର ଦୂରୀକରଣ ପନ୍ଥା ଅବଲମ୍ବନରେ ବିଭିନ୍ନ ଲିପିସମୂହକୁ ପ୍ରଦେଶାନ୍ତର ବିଭିନ୍ନ ଭାଷାଭାଷୀଙ୍କର ସହଜପାଠ୍ୟ କରି ହେବା ସଙ୍ଗେ ଭାରତୀୟ ଲିପିମାନଙ୍କର ଯାନ୍ତ୍ରିକ ପ୍ରୟୋଗରେ ସମତା ଆଣି ଦେବା ସମ୍ଭବ ବୋଲି ନିଷ୍ପତ୍ତି କଲି ।

 

ପରନ୍ତୁ ଆଉ ଟିକିଏ ଦୂରଦୃଷ୍ଟିରେ ବିଚାର କରି ବୁଝିଲି ଯେ ଅଧ୍ୟାପକ ମ୍ୟାକ୍‌ଡ଼ୋନେଲ ଓ ଡକ୍‌ଟର ଆଲେନ୍‌ଙ୍କ ଭଳି ବହୁଦର୍ଶୀ ବୈଦେଶିକ ଭାଷାବିତ୍‌ମାନଙ୍କଦ୍ୱାରା ଉଚ୍ଚ ପ୍ରଶଂସିତ ଆମର ଭାରତୀୟ ଲିପିକୁ କ୍ଳିଷ୍ଟତାଦିବର୍ଜିତ ଅବିକୃତ ରୂପରେ ବିଶ୍ୱଜନ ଲୋଚନାକର୍ଷଣୋପଯୋଗୀ କରାଇବା ପ୍ରତି ଆମ୍ଭମାନଙ୍କର ଯତ୍ନର ଅଭାବ କଦାପି ଶ୍ରେୟ ନୁହେଁ ।

 

***

 

ସଂଖ୍ୟାନୁଗତ ଲିପି-ପ୍ରସଙ୍ଗ

 

ଅବଶ୍ୟ ସର୍ବଭାରତୀୟ ସ୍ତରରେ ଲିପିସମନ୍ୱୟ ଚିନ୍ତାବଶତଃ ନାନା କଳ୍ପନା ମନରେ ମୋର ଜାଗ୍ରତ ହୋଇଛି । ସେଥିରୁ ଗୋଟିଏ ହେଲା ଆମ ଲିପିକୁ ଅଳ୍ପସଂଖ୍ୟକ କରିବାକୁ ସଂଖ୍ୟାନୁଗତ କରିବାରେ । ଏ ଦିଗରେ ‘ଶୂନ୍ୟରୁ ନଅ’ ମାତ୍ର ଦଶଟି ସଂଖ୍ୟାକୁ ସଙ୍କେତ କରି ଆମର ସମସ୍ତ ଲେଖାପଢ଼ା କରିହେବା ସ୍ଥିର କଲି, କିନ୍ତୁ ବର୍ଣ୍ଣର ପ୍ରତୀକ ଏକାଧିକ ସଂଖ୍ୟାରୁ ବର୍ଣ୍ଣ-ନିର୍ଣ୍ଣୟ ସୁସାଧ୍ୟ ନୁହେ । ଏଣୁ ପ୍ରାପ୍ତଧନର ସଦୁପଯୋଗ ନ କରି ଗୁପ୍ତ-ଧନାନ୍ୱେଷୀ ହେବା ଅସ୍‌ପୃହଣୀୟ ବୋଲି ଈଦୃଶ କଳ୍ପନା ତ୍ୟାଗ କଲି ।

 

***

 

ହଳନ୍ତ ବ୍ୟବହାର-ପ୍ରସଙ୍ଗ

 

ରୋମାନ୍‌ ଲିପି-ପ୍ରଚଳିତ ବନାନପଦ୍ଧତି (ବର୍ଣ୍ଣର ଅନ୍ୟ ବା ପୃଥକ୍‌କରଣ ପଦ୍ଧତି) ପ୍ରଚଳନ ଦ୍ୱାରା ଆମ୍ଭମାନଙ୍କ ଭାଷାର ଅବିକୃତ ପ୍ରତୀକ ଆମ୍ଭମାନଙ୍କ ଲିପି ଭାବ ପ୍ରତିପାଦନକ୍ଷମ ହେତୁ ତାର ମୂଲ୍ୟ ଅକ୍ଷୁଣ୍ଣ ରଖିବା ଶ୍ରେୟ ବୋଧକଲି । ଏହି ବନାନ ବିଧିରେ ହଳନ୍ତ ପ୍ରୟୋଗ ଆମ୍ଭମାନଙ୍କର ଲେଖାପଢ଼ାରେ ବ୍ୟବହାର ନ ଥିଲେ ମଧ୍ୟ ଏହି ଜ୍ଞାନ ଆମ୍ଭମାନଙ୍କୁ ବ୍ୟାକରଣ-ଶିକ୍ଷାରୁ ମିଳିଥାଏ । ଏହା ଆମ୍ଭମାନଙ୍କ ଶିକ୍ଷାର୍ଜିତ ଜ୍ଞାନ । ଏହି ଲବ୍‌ଧ-ଜ୍ଞାନକୁ କାଳୋପଯୋଗୀ ପ୍ରୟୋଗରେ ଆଣିବାକୁ ମୋ ଦେଶର ଭାଇଭଉଣୀଙ୍କୁ ହାର୍ଦ୍ଦିକ ଆହ୍ୱାନ ଜ୍ଞାପନ କରୁଛି । ମୋର ଏହି ଆହ୍ୱାନର ମୂଲ୍ୟ କେତେ, ତାର ବିଚାର ଆପଣମାନେ କରିବେ । ତେଣୁ ଆପଣମାନଙ୍କ ଆଲୋଚନାକୁ ଆଣିବା ପ୍ରସଙ୍ଗରେ ମୋର ଚିନ୍ତା-ପ୍ରସୂତ ସମସ୍ତ ବିଷୟ ମୁଁ ଏଠାରେ ଉପସ୍ଥାପିତ କରୁଛି:-

 

***

 

ବିନ୍ଦୁ ପ୍ରୟୋଗ-ପ୍ରସଙ୍ଗ

 

ବନାନବିଧିରେ ବର୍ତ୍ତମାନ ପ୍ରଚଳିତ ପ୍ରୟୋଗ ହଳନ୍ତ (୍) । ଏହାକୁ ବ୍ୟବହାର କରିବାରେ ଆମ୍ଭମାନଙ୍କୁ ଅଧିକ ଖର୍ଚ୍ଚ କରିବାକୁ ପଡ଼ିବ, ପୁନଶ୍ଚ ଏହା ମୁଦ୍ରଣ ସମୟରେ ଭାଙ୍ଗିବାର ଆଶଙ୍କା ଅନିବାର୍ଯ୍ୟ ଏବଂ ବହୁଳ ପ୍ରୟୋଗ ବର୍ଣ୍ଣମାଳାର ସୌନ୍ଦର୍ଯ୍ୟ ନଷ୍ଟ କରିବ । ଏବଂବିଧ କାରଣବଶତଃ ଆମ୍ଭମାନଙ୍କର ଚିର ପରିଚିତ ଓ ଚିର ପ୍ରଚଳିତ ହଳନ୍ତ (୍‌)କୁ ରୂପାନ୍ତର ଦେଇ ସ୍ଥାନାନ୍ତର କରିବା ପ୍ରୟୋଜନ ହେତୁ ଏହା ବିନ୍ଦୁ (.) ରୂପରେ ପଦଭାଗରୁ ଶିରୋଭାଗରେ ସ୍ଥାପନ କରିବା କଳ୍ପନା କରାଯାଇଛି । ଏହି ହଳନ୍ତର ରୂପାନ୍ତର ଓ ସ୍ଥାନାନ୍ତରଜନିତ ବିନ୍ଦୁ (.) ପ୍ରୟୋଗ ବିଧି ପ୍ରତି ଏଠାରେ ସମସ୍ତ ବିଜ୍ଞମଣ୍ଡଳିର ଦୃଷ୍ଟି ଆକର୍ଷଣ କରିବା ଅପ୍ରାସଙ୍ଗିକ ହେବ ନାହିଁ । ବିନ୍ଦୁ (.) ଆବଶ୍ୟକ ସ୍ଥଳେ ବ୍ୟଞ୍ଜନବର୍ଣ୍ଣର ଶିରୋଭାଗର ଦକ୍ଷିଣ ପାର୍ଶ୍ୱରେ ରହି ସେହି ବର୍ଣ୍ଣକୁ ହ୍ରସ୍ୱ ବା ହଳନ୍ତଯୁକ୍ତ ସୁଚାଇବ ଏବଂ ସେହି ବର୍ଣ୍ଣ ମୁଖ୍ୟତଃ ଶବ୍ଦ ବା ପଦ ଅନ୍ତର୍ଭୁକ୍ତ ପରବର୍ତ୍ତୀ ବର୍ଣ୍ଣ ସଂଯୋଗରେ ଉଚ୍ଚାରିତ ହେବା ମଧ୍ୟ ସୂଚାଇବ । ସେହିପରି ମଧ୍ୟ ଗୋଟିଏ ହ୍ରସ୍ୱ ସ୍ୱରବର୍ଣ୍ଣ ପରେ ବିନ୍ଦୁ ରହି ତାହା ପାଖରେ ଗୋଟିଏ ସମ-ସ୍ୱରବର୍ଣ୍ଣ ପଦମଧ୍ୟରେ ଥିଲେ ସେଥିରୁ ଦୀର୍ଘସ୍ୱର ଉଚ୍ଚାରଣ ବୁଝାଇବ । କିନ୍ତୁ ସେପରି ବିନ୍ଦୁ ଚିହ୍ନିତ ପୂର୍ବବର୍ତ୍ତୀ ବର୍ଣ୍ଣ ପରବର୍ତ୍ତୀ ବର୍ଣ୍ଣ ସଂଯୋଗରେ ଉଚ୍ଚାରିତ ହେବା ଅବାଞ୍ଛନୀୟ ସ୍ଥଳେ ବିନ୍ଦୁ-ଚିହ୍ନିତ ପୂର୍ବବର୍ତ୍ତୀ ବର୍ଣ୍ଣ ପରେ ହାଇଫେନ (ଅନ୍ତରାଚିହ୍ନ) ଦେବାକୁ ହେବ । ବିନ୍ଦୁ-ପ୍ରଯୋଜିତ କେତେକ ଶବ୍ଦ ଯଥା :—

 

ଶଙ୍କର = ଶଙକର, ଶଙ୍ଖାଳି = ଶଙଖଆଳଇ, ଗଙ୍ଗାଧର = ଗଙଗଆଧର, ସଙ୍ଘମିତ୍ରା= ସଙଘମଇତରଆ, ଚଞ୍ଚଳା = ଚଞଚଳଆ, ବାଞ୍ଛାନିଧି = ବଆଞଛଆନଇଧଇ, ନିରଞ୍ଜନ = ନଇରଞଜନ, ପଞ୍ଝାଏ = ପଞଝଆଏ; ମେଣ୍ଟ = ମଏଣଟ, ବୈକୁଣ୍ଠ=ବଐକଉଣଠ, ପଣ୍ଡା = ପଣଡଆ, ଅନନ୍ତ = ଅନନତ, ଗନ୍ଥାଇତ = ଗନଥଆଇତ, ପଣ୍ଢାଇ = ପଣତଆଇ, ଆନନ୍ଦ = ଆନନଦ, ବାନ୍ଧ = ବଆନଧଇ, ଚମ୍ପତି = ଚମପତଇ, ବାମ୍ଫୀ = ବଆମଫଇଇ, ଲମ୍ବ = ଲମବ, ସମ୍ଭୂତ = ସମଭଉଉତ, ପଶ୍ଚିମ = ପଶଚଇମ, ପୁଷ୍କରିଣୀ = ପଉଷକରଇଣଇଇ, ଅସ୍ତାଚଳ = ଅସତଆଚଳ, ଅବସ୍ଥାନ = ଅବସଥଆନ, ଅବ୍‌ଜ = ଅବଜ, ରକ୍ତିମ = ରକତଇମ, ଭ୍ରମଣ = ଭରମଣ, ସାୟଂ = ସଆୟମ, ବଶତଃ = ବଶତଃ, ଦୁଃଖ = ଦଉଃଖ, ବୃଦ୍ଧ = ବଋଦଧ, ମଧ୍ୟ = ମଧଯ, ପ୍ରସ୍ଫୁଟିତ = ପରସଫଉଟଇତ, ଉତ୍ପଳ = ଉତପଳ, ଗର୍ଭ = ଗରଭ, ସ୍ତବ୍‌ଧ = ସତବଧ, ଜ୍ୟୋତ୍ସ୍ନା = ଜଯଓତସନଅ, ସୌନ୍ଦର୍ଯ୍ୟ = ସଔନଦରଯଯ, ବିହ୍ୱଳ = ବଇହବଳ, ପରାକାଷ୍ଠା = ପରଆକଆଷଠଆ, ଚିତ୍ତରେ = ଚଇତତରଏ, ଶୁକ୍ଳ = ଶଉକଳ, ଈଦୃଶ = ଈଦୠଶ, ତୃଷ୍ଣା = ତଋଷଣଆ, ଆକସ୍ମିକ = ଆକସମଇକ, ବିଦୀର୍ଣ୍ଣ = ବଇଦଇଇରଣଣ, ହିଂସ୍ର=ହଇମସର, ଆତ୍ମରକ୍ଷା = ଆତମରକଷଆ, ଫଳତଃ = ଫଳତଃ, ସାୟଂଭ୍ରମଣ = ସଆୟମଭରମଣ (ସାୟମ୍ରମଣ), ଗୁଚ୍ଛ = ଗଉଚଛ, ସ୍ମରଣ = ସମରଣ, କୂପ = କଉଉପ(କଊପ) ଦୀପ = ଦଇଇପ(ଦଈପ), ସୀତା = ସଇ ଇତଆ(ସଈତଆ) ଇତ୍ୟାଦି । ଏବେ କିନ୍ତୁ ସମ(ସଂ) ବା ଉଦ (ଉଦ୍‌) ପରେ ଯ, ର, ଳ, ଲ, ବା ନ ଥିଲେ ପୂର୍ବ ବିନ୍ଦୁଯୁକ୍ତ ବ୍ୟଞ୍ଜନ ପରବର୍ଣ୍ଣ-ସଂଯୋଗରେ ଉଚ୍ଚାରିତ ହେବା ଅବାଞ୍ଛନୀୟ ହେତୁ, ଏପରି ସ୍ଥଳେ ପୂର୍ବବର୍ତ୍ତୀ ବିନ୍ଦୁଯୁକ୍ତ ବ୍ୟଞ୍ଜନବର୍ଣ୍ଣ ପରେ ହାଇଫେନ (ଅନ୍ତର ଚିହ୍ନ) ଦିଆଯିବା ବିଧେୟ, ଯଥା:-ସଂନମନ = ସମ-ନମନ, ସଂଯତ = ସମ-ଯତ, ସଂଯମ = ସମ-ଯମ, ସଂଯୁକ୍ତ = ସମ-ଯଉକତ, ସଂରକ୍ଷଣ = ସମ-ରକ୍ଷଣ, ସଂଲଗ୍ନ = ସମ-ଲଗନ, ସଂଳାପ = ସମ-ଳଆପ, ଉଦ୍‌ଯୋଗ = ଉଦ-ଯଓଗ (ଇତ୍ୟାଦି କେତେଗୁଡ଼ିଏ କ୍ୱଚିତ ବ୍ୟବହୃତ ଶବ୍ଦ ।)

 

***

 

ବନାନ ପଦ୍ଧତିର ଉପକାରିତା-ପ୍ରସଙ୍ଗ

 

ଏତାଦୃଶ ବିନ୍ଦୁ ପ୍ରୟୋଗ ବା ବନାନ ପଦ୍ଧତି ଆମ୍ଭମାନଙ୍କୁ ମାତ୍ରା, ଫଳା ଓ ଯୁକ୍ତାକ୍ଷର ବ୍ୟବହାର ନ କରି କେବଳ ମୌଳିକ ବର୍ଣ୍ଣମାନଙ୍କ ଅବଲମ୍ବନରେ ସର୍ବବିଧ ମୁଦ୍ରଣ, ପଠନ ଓ ଲିଖନ କାର୍ଯ୍ୟ ସମ୍ପାଦନ କରିବାକୁ ସମର୍ଥ କରିବ ତଥା ସବୁ ଯାନ୍ତ୍ରିକ ବ୍ୟବହାରରେ ଆମ୍ଭ ଭାରତୀୟ ଲିପିକୁ ଅବାଧରେ ବ୍ୟବହାର କରିବା ସମ୍ଭବ ହେବ ।

 

ଏହି ବିନ୍ଦୁ(.) ସର୍ବବିଧ ଭାରତୀୟ ଲିପି ନିମିତ୍ତ ପ୍ରଯୁଜ୍ୟ ହୋଇ ଭାରତୀୟ ଲିପି ମଧ୍ୟରେ ସମନ୍ୱୟ ସ୍ଥାପନ କରିବ ଏବଂ ପ୍ରଦେଶାନ୍ତର ଲିପି ପଠନକୁ ସହଜସାଧ୍ୟ କରିବ । ଫଳତଃ କାଳକ୍ରମେ ଆମ୍ଭମାନଙ୍କୁ ପ୍ରଦେଶାନ୍ତର ସାହିତ୍ୟ ମାଧ୍ୟମରେ ଭାବ ଆଦାନ-ପ୍ରଦାନର ସୁଯୋଗ ପ୍ରଦାନ କରି ଆମ୍ଭମାନଙ୍କ ମଧ୍ୟରେ ଭ୍ରାତୃଭାବ ସୁଦୃଢ଼ କରିବ । ଆମ ଦେଶବାସୀଙ୍କର ସର୍ବବିଧ ଭାରତୀୟ ଲିପିର ଏହି ନୂତନ ସଂସ୍କରଣକୁ ରାଷ୍ଟ୍ରୀୟ-ସଂସ୍କରଣ ବା ସଂସ୍କାର ବୋଲି ଅନୁଭୂତି ଜନ୍ମାଇବ ଓ ପ୍ରଦେଶାନ୍ତର ଲିପି-ପଠନର ସୁବିଧା ଦେବା ହେତୁ ଆମ୍ଭମାନଙ୍କର ରାଷ୍ଟ୍ର-ଲିପି ନିରୂପଣ କରିବାରେ ବିରୋଧଭାବକୁ ଲାଘବ କରିବ । ଅନତିବିଳମ୍ବେ ଆମ୍ଭମାନଙ୍କର ରାଷ୍ଟ୍ରଲିପି ନିରୂପଣ କରିବା ବାଞ୍ଛନୀୟ । ବହୁମତରେ ଦେବନାଗରୀ ରାଷ୍ଟ୍ରଲିପି ରୂପେ ନିରୂପିତ ହେଉଥିବା ସ୍ଥଳେ ତାକୁ ଦକ୍ଷିଣ-ଭାରତ ବିରୋଧ କରିବା ଅବସ୍ଥା ରହିଛି । ତଥାପି ଏହି ବିନ୍ଦୁପ୍ରୟୋଗ ପଦ୍ଧତି ବିବାଦ-ନିଷ୍ପତ୍ତିରେ ଯଥେଷ୍ଟ ସାହାଯ୍ୟ କରିବା ଆଶା କରାଯାଏ । ନିଷ୍ପତ୍ତି କ୍ଷେତ୍ରରେ ବିବାଦୀୟ ପକ୍ଷମାନେ ଆକୃଷ୍ଟ ହେବାର ବ୍ୟବସ୍ଥା ରହିଲେ ସର୍ବତ୍ର ନିଷ୍ପତ୍ତି ଗ୍ରହଣଯୋଗ୍ୟ ହୋଇଥାଏ ।

 

***

 

ହସ୍ତଲିଖନ-ପ୍ରସଙ୍ଗ

 

ଆପଣମାନଙ୍କ ମଧ୍ୟରେ କେହି କେହି ଭାବିପାରନ୍ତି ଯେ ଏ ପ୍ରକାର ବିନ୍ଦୁ ପ୍ରୟୋଗ ମୁଦ୍ରଣ ପକ୍ଷେ ସହଜ ହୋଇପାରେ, କିନ୍ତୁ ହସ୍ତଲିଖନ ପକ୍ଷେ ସହଜସାଧ୍ୟ ନୁହେ । ଏପରି ଭାବିବା ସ୍ୱାଭାବିକ ଏବଂ ଏଥିରେ ବାସ୍ତବତା ରହିଛି । ଏଥିର ସମାଧାନରୂପେ ମୁଁ କହିପାରେ ଯେ ରୋମାନ୍‌ ଲିପିରେ ଯେପରି ଦୁଇପ୍ରକାର ଲିପିର ପ୍ରଚଳନ ଅଛି, ସେହିପରି ଆମ୍ଭମାନଙ୍କର ବର୍ତ୍ତମାନ ପ୍ରଚଳିତ ଲିପିକୁ ହସ୍ତ ଲିପି (Hand-script) ଏବଂ ଏହି ନୂତନ ପ୍ରସ୍ତାବିତ ଲିପିକୁ Block-script ରୂପେ ବ୍ୟବହାର କରାଗଲେ ଉକ୍ତ ପ୍ରଶ୍ନର ସମାଧାନ ସହିତ ବର୍ତ୍ତମାନ ପ୍ରଚଳିତ ପୁସ୍ତକ ଆଦିର କୌଣସି କ୍ଷତି ଘଟିବ ନାହିଁ; ବରଂ ପ୍ରଚଳିତ ଲିପିର ମୂଲ୍ୟ ଅକ୍ଷୁଣ୍ଣ ରହିବ । ଅବଶ୍ୟ ଜନସାଧାରଣ ସେମାନଙ୍କ ସୁବିଧାକ୍ରମେ ପ୍ରଚଳିତ ଓ ପ୍ରସ୍ତାବିତ ଲିପି ମଧ୍ୟରୁ ଗୋଟିକୁ ଲିଖନ ପାଇଁ ବାଛି ନେବେ-

 

***

 

ଶିଶୁଶିକ୍ଷା-ପ୍ରସଙ୍ଗ

 

ବିନ୍ଦୁ ପ୍ରଯୋଜିତ ଅକ୍ଷରଶିକ୍ଷା କରିବା ଶିଶୁଙ୍କର ସହଜସାଧ୍ୟ ହେବ ନାହିଁ, ଏପରି କେହି ଭାବିବା ଅନାବଶ୍ୟକ । ବାସ୍ତବରେ ଏହା ବରଂ ଶିଶୁମାନଙ୍କ ପକ୍ଷେ ସହଜସାଧ୍ୟ ହେବ । କାରଣ ମୂଳ ଅକ୍ଷର ଶିକ୍ଷା ପରେ ତାକୁ ଆଉ କୌଣସି ମାତ୍ରାଫଳା ଶିଖିବାକୁ ପଡ଼ିବ ନାହିଁ । କେବଳ ସେ ଶିଖିବ ବିନ୍ଦୁର ଦୁଇ ପାଖ ଅକ୍ଷରକୁ ମିଶାଇ ପଢ଼ିବା ଓ ତାପରେ ତାକୁ ହାଇଫେନ୍‌ ଥିବା ଦୁଇ ପାଖ ଅକ୍ଷରକୁ ନ ମିଶାଇ ପଢ଼ିବାକୁ ହେବ । ପିଲାମାନେ ଯଦି ଛାପା ବହିରୁ ବିନ୍ଦୁ-ପ୍ରଯୋଜିତ ଲିପି ଶିକ୍ଷା କରିବେ, ତେବେ ସେମାନେ Hand-script (ହାତଲେଖା) ଶିଖିବେ କେବେ ? ଏ ସମ୍ବନ୍ଧରେ ମୁଁ କହିପାରେ ଶିଶୁଶିକ୍ଷାରେ ବିନ୍ଦୁ-ପ୍ରଯୋଜିତ ଲିପି ଲେଖିପଢ଼ି ଶିଖିଲେ ଶିଶୁମାନଙ୍କର ମୌଳିକ ଲିପିରେ ଲିଖନ ପଠନ ଅଭ୍ୟାସଗତ ହୋଇଯିବ ଏବଂ ବର୍ଣ୍ଣଯୋଗଜ୍ଞାନ ବା ଯୁକ୍ତାକ୍ଷରର ଉଚ୍ଚାରଣ ସମ୍ବନ୍ଧରେ ଜ୍ଞାନ ଜନ୍ମି ପାରିବ । ଏଣୁ ଉଚ୍ଚ ପ୍ରାଥମିକ ଶ୍ରେଣୀରେ ସେମାନଙ୍କୁ ହସ୍ତ-ଲିଖନ ପ୍ରଣାଳୀ(ପ୍ରଚଳିତ ଲିପି) ସମ୍ବନ୍ଧରେ ସାମାନ୍ୟ ଶିକ୍ଷା ଦେଲେ ସେମାନେ ଅନାୟାସରେ ଏହି ଶିକ୍ଷାଲାଭ କରିବା ଅସମ୍ଭବ ହେବ ନାହିଁ । ଏଠାରେ ମୋର ଅନୁଭୂତି କଥା କହୁଛି-ଆମ୍ଭେମାନେ ଛାପା ବହିରୁ ଲେଖାପଢ଼ା ଶିଖିବା ପରେ ସେତେବେଳର ୨ୟ ଶ୍ରେଣୀ (ଏବର ୩ୟ ଶ୍ରେଣୀ)ରୁ ବା ନିମ୍ନ-ପ୍ରାଥମିକ ଶିକ୍ଷା ମଧ୍ୟରେ ‘କରଣୀ’ ଲେଖାପଢ଼ା ଶିକ୍ଷା ପାଉଥିଲୁ ଓ ଶିଖୁଥିଲୁ । ‘କରଣୀ’ ଶିକ୍ଷାଠାରୁ ବିନ୍ଦୁ-ପ୍ରଯୋଜିତ ଲିପି ଶିକ୍ଷା ପରେ ବର୍ତ୍ତମାନ ପ୍ରଚଳିତ ଲିପି (Hand-script) ଶିକ୍ଷା କରିବା କଦାପି କଷ୍ଟସାଧ୍ୟ ହେବ ନାହିଁ ।

 

***

 

ପଠନ-ପ୍ରସଙ୍ଗ

 

ପୁନଶ୍ଚ ପ୍ରଶ୍ନ ଆସିପାରେ ଯେ ଏ ପଦ୍ଧତିରେ ଅକ୍ଷର ସଂଖ୍ୟା ବଢ଼ିଯିବାରୁ ଏହା ପଢ଼ିବାକୁ ସମସ୍ତେ ପାରି ଉଠିବେ ନାହିଁ । ଏ ସଂକ୍ରାନ୍ତରେ ମୁଁ କହିପାରେ, ତେବେ ଅଭ୍ୟାସ ନ ଥିବାରୁ ଉପସ୍ଥିତ ଏ ପ୍ରକାର ଲିପି ପଠନ ସୁଖବୋଧ୍ୟ ହେବ ନାହିଁ; କିନ୍ତୁ ଏହା ଆମର ପ୍ରଚଳିତ ଲିପିର ରୂପାନ୍ତରିତକରଣ ମାତ୍ର, ସାମାନ୍ୟ ଅଭ୍ୟାସ ଏଥିପାଇଁ ଲୋଡ଼ା । ଆମ୍ଭମାନଙ୍କ ମଧ୍ୟରୁ ଯେଉଁମାନେ ଉଚ୍ଚ ଶିକ୍ଷିତ, ସେମାନେ ବନାନ-ପଦ୍ଧତି ଅନୁସୂତ ରୋମାନ୍‌ ଲିପିରେ English (ଇଂଲିଶ) ପଢ଼ିବାକୁ ଏପରି ସୁଖ ମନେକରୁଛନ୍ତି ଯେ ସେମାନଙ୍କ ମଧ୍ୟରୁ ପ୍ରଚାର ହେଉଛି-ରୋମାନ୍‌ ଲିପିକୁ ଆମ ଭାରତୀୟ ଲିପିରୂପ ଗ୍ରହଣ କରାଯିବା ଉଚିତ । ବାସ୍ତବରେ ଅଭ୍ୟାସ ସବୁ ସହଜ ଓ ସରଳ କରିବା ସ୍ୱତଃସିଦ୍ଧ । ଦେଖନ୍ତୁ-Straight, Thought, Brought, Knowledge etc. ଏତେ ବର୍ଣ୍ଣ ସଂଯୋଗକରି ସହଜରେ ପଢ଼ିପାରୁଛୁ ବନାନ ପଦ୍ଧତିରେ ଲିଖିତ ଇଂରାଜି ଶବ୍ଦକୁ । ଏହାଠାରୁ ପଢ଼ିବାରେ ଜଟିଳତା ଆଉ ଅଧିକ ଅଛି, ଯଥା:--Police=ପୋଲିସ ଅଥଚ Policy= ପଲିସି; politic=ପଲିଟିକ୍‌ ଅଥଚ Polite=ପୋଲାଇଟ, ଏହି ଶବ୍ଦମାନଙ୍କ ଶେଷରେ ଗୋଟିଏ ଦୁଇଟି ବର୍ଣ୍ଣ ପରିବର୍ତ୍ତନରେ ପ୍ରଥମରୁ ଥିବା ଅଧିକାଂଶ ସମ-ବର୍ଣ୍ଣମାନଙ୍କର ଉଚ୍ଚାରଣ ବଦଳିଯାଉଛି, ଯାହା ଆମ୍ଭ ଭାରତୀୟ ବର୍ଣ୍ଣମାଳାରେ କେବେହେଲେ ହୁଏ ନାହିଁ । ତେବେ ବନାନ ପଦ୍ଧତିରେ ଆମ ନିଜ ଅବିକୃତ ଲିପିରେ ଉଚ୍ଚାରଣ କରିବା ସହଜ ନ ହେବାର କାରଣ ନାହିଁ । ପ୍ରଚଳିତ ଲିପିର ବ୍ୟବହାର ହସ୍ତଲିଖନ ପାଇଁ ରଖାଯାଉଥିବାରୁ ସେଥି ସଙ୍ଗେ କ୍ରମେ କ୍ରମେ ପ୍ରସ୍ତାବିତ ଲିପିର ପ୍ରସାର ଓ ପରିଚୟ-ଲାଭ କରିବାରେ ସର୍ବତ୍ର ସୁବିଧା ମିଳିବ ।

 

ମୁଦ୍ରଣ-ପ୍ରସଙ୍ଗ

 

ବିନ୍ଦୁ ପ୍ରଯୋଜିତ ଲିପି ପ୍ରଚଳନ ଦ୍ୱାରା ଅଧିକ କାଗଜ ଆଦି ଖର୍ଚ୍ଚ ହେବାରୁ ବହିର ମୂଲ୍ୟ ବଢ଼ିଯିବାରେ ଗୁରୁତର ଅବସ୍ଥା ଉପୁଜିବା ପ୍ରକାଶକମାନେ ଭାବି ପାରନ୍ତି, ମାତ୍ର ସେପରି ଯେଉଁମାନେ ଭାବୁଥିବେ, ସେମାନଙ୍କୁ ମୁଁ ଏତିକି କହିପାରେ ଯେ ସେମାନେ ପ୍ରକୃତରେ ଏ ବିଷୟରେ ଯଥୋପଯୁକ୍ତ ବିଚାର କରିବା ଦରକାର । ଗୋଟିଏ ଛାପା ବିଷୟରୁ ସ୍ପଷ୍ଟ ଦେଖିପାରିବା ଦୁଇ ଧାଡ଼ି ମଧ୍ୟରେ ଯେଉଁ ବ୍ୟବଧାନ ରହୁଛି, ତାହା ଆଉ ଗୋଟିଏ ଧାଡ଼ି ପାଇଁ ଯଥେଷ୍ଟ । କିନ୍ତୁ ମାତ୍ରାଫଳ ବ୍ୟବହାର ଦୃଷ୍ଟିରୁ ସେହି ବ୍ୟବଧାନ ରଖିବା ପ୍ରୟୋଜନ । ଏ ପ୍ରସ୍ତାବିତ ବିନ୍ଦୁ ପ୍ରଚଳନରେ ଏତେ ବ୍ୟବଧାନ ରଖିବା ନିଷ୍‌ପ୍ରୟୋଜନ ହେତୁ ବର୍ତ୍ତମାନ ଆମ୍ଭର ଯେଉଁ ପୃଷ୍ଠାରେ କୋଡ଼ିଏ ଧାଡ଼ି ରହୁଛି, ସେ ପୃଷ୍ଠାରେ ତିରିଶ ଧାଡ଼ି ରଖିପାରିବା । ମୁଁ ହିସାବ କରି ଦେଖିଛି, ଏହି ବିନ୍ଦୁ ପ୍ରୟୋଗ କ୍ରମେ ଅକ୍ଷର ସଂଖ୍ୟା ପ୍ରାୟ ବର୍ତ୍ତମାନର ଦେଢ଼ଗୁଣ ହେଉଛି । ଏଣୁ ଏ ପ୍ରଶ୍ନ ଏହିପରି ସମାଧାନ ହୋଇପାରିବ । ଅଧିକନ୍ତୁ କଂପୋଜ ଲାଗି ଆମକୁ ଅଧିକ ଖର୍ଚ୍ଚ କରିବାକୁ ପଡ଼ିବ, ନାହିଁ ବରଂ ଆମ୍ଭମାନଙ୍କୁ ଯଥାସମ୍ଭବ ଛୋଟ ଲିପି ବ୍ୟବହାରର ସୁବିଧା ମିଳିବ । କମ୍ପୋଜ ସୁବିଧା ଦୃଷ୍ଟିରୁ କେତେକ ବିନ୍ଦୁଯୁକ୍ତ ଅକ୍ଷର ରଖାଗଲେ କମ୍ପୋଜ କରିବା ଅତି ସହଜ ହେବ ଏବଂ ବ୍ୟୟ-ଦୃଷ୍ଟିରୁ ଏହା କରିବା ସାଧ୍ୟାତୀତ ହେବ ନାହିଁ । ଯାନ୍ତ୍ରିକ କମ୍ପୋଜ ହେଲେ ଖର୍ଚ୍ଚର ମାତ୍ରା ଆଶାନୁରୂପ ହ୍ରାସ ହୋଇପାରିବ ।

 

***

 

ସ୍ଥିତାବସ୍ଥା-ପ୍ରସଙ୍ଗ

 

ଆମ୍ଭମାନଙ୍କ ମଧ୍ୟରୁ କେତେକଙ୍କ ମନରେ ଆସୁଥିବ-ସୁବିଧା ଦୃଷ୍ଟିରୁ ଏଥି ମଧ୍ୟରେ ବିଭିନ୍ନ ପ୍ରାନ୍ତୀୟ ଲିପିରେ ଟାଇପରାଇଟର ହୋଇଛି । ମନୋକମ୍ପୋଜ ଯନ୍ତ୍ର ତିଆରି ହୋଇ କାର୍ଯ୍ୟରେ ଲାଗିବା ଅବସ୍ଥାକୁ ଅପେକ୍ଷା କରାଯାଉଛି ବା କେତେକ ପ୍ରାନ୍ତୀୟ ଭାଇମାନେ ବ୍ୟବହାର କରୁଥିବାର ଦେଖୁଛୁ । ତେବେ ଏ ସବୁ ପରିତ୍ୟାଗ କରି ନୂତନ ପଦ୍ଧତି ଗ୍ରହଣ କରିବା ସମ୍ଭବପର ନୁହେଁ । ଏହି ବିଚାରକୋଣରୁ ମୁଁ କହୁଛି, ଏଥି ପୂର୍ବରୁ ମୁଁ ପ୍ରାଞ୍ଜଳ ଭାବରେ ବୁଝାଇ ଦେଇଛି ଯେ ପ୍ରଚଳତି ଲିପିର ମୂଲ୍ୟ ଅକ୍ଷୁଣ୍ଣ ରଖି ଏହି ନୂତନ ପ୍ରସ୍ତାବିତ ଲିପି ପ୍ରଚଳନ କରିବା ଅସମ୍ଭବ ନୁହେଁ । ପରନ୍ତୁ ଏ ପଦ୍ଧତିର ବହୁଳ ପ୍ରଚଳନର ସୁବିଧା ହେତୁ ବିଶେଷ ଖର୍ଚ୍ଚାନ୍ତ ନ ହୋଇ ଟାଇପ୍‍ରାଇଟର ଓ ମନୋକମ୍ପୋଜ ଯନ୍ତ୍ରରେ ପରିବର୍ତ୍ତନ ଅଣାଯିବା ଉପାୟ ଅଛି ।

 

***

 

ରୋମାନ୍‌ ଲିପିର ଅପକୃଷ୍ଟତା-ପ୍ରସଙ୍ଗ

 

ରୋମାନ୍‌ ଲିପିକୁ ରାଷ୍ଟ୍ର-ଲିପିରୂପେ ଗ୍ରହଣ କରିବାକୁ କେତେକ ଉଚ୍ଚକୋଟୀର ଇଂରାଜି ଶିକ୍ଷିତ ବ୍ୟକ୍ତି ମତପ୍ରକାଶ କରୁଥିବା ଆପଣମାନେ ଜାଣନ୍ତି । ଆମର ଭାରତୀୟ ସାହିତ୍ୟ ଅନ୍ୟ କୌଣସି ବିଦେଶୀୟ ଭାଷାର ସାଦୃଶ୍ୟରେ ଗଢ଼ାନୁହେ । ଏହାର ଲିପି ଦୃଷ୍ଟିରୁ ଉଚ୍ଚାରଣ ଭିନ୍ନ, ଶବ୍ଦ ଭିନ୍ନ ଓ ବ୍ୟାକରଣ ମଧ୍ୟ ଭିନ୍ନ । ଯେଉଁ ଭାଷାମାନଙ୍କ ମଧ୍ୟରେ କେତେକ ସାଦୃଶ୍ୟ ଥାଏ, ତାହା ଅନ୍ୟ ଭାଷାଭାଷୀ ପଢ଼ିବାଦ୍ୱାରା ଯତ୍‌କିଞ୍ଚିତ ଭାବ ବା ଅର୍ଥ ଗ୍ରହଣ କରିବା ସମ୍ଭବପର ହୋଇଥାଏ । ଅନ୍ୟଥା କେହି ଅନ୍ୟ ଭାଷା ପଢ଼ିବାକୁ ପ୍ରୟାସ ରଖେ ନାହିଁ । ଏଣୁ ରୋମାନ୍‌ ଲିପି ମାଧ୍ୟମରେ ଆମର ଭାରତୀୟ-ସାହିତ୍ୟର ଆନ୍ତର୍ଜାତିକ ସ୍ତରରେ ପ୍ରସାର ଲାଭ କରିବା କଳ୍ପନା ଏଥିରେ ଥିଲେ, ମୋତେ ତାହା ସ୍ୱପ୍ନରାଜ୍ୟର କଳ୍ପନା ଭଳି ଲାଗୁଛି । ରୋମାନ୍-ଲିପି ବ୍ୟବହାର ସଙ୍ଗେ ଯଦି ଆମ ବ୍ୟାକରଣ-ସୂତ୍ରର ସମ୍ବନ୍ଧ ନ ରହେ, ତେବେ ଆମ୍ଭେମାନେ ବ୍ୟାକରଣ ବ୍ୟବହାରରୁ ବଞ୍ଚିତ ହେବା, ଆଉ ଆମ୍ଭମାନଙ୍କର ପ୍ରଚଳିତ ସାହିତ୍ୟ ମଧ୍ୟରେ ପୁରାଣ, ବେଦ, କାବ୍ୟ, କବିତା ଆଦି ସମସ୍ତର ଅର୍ଥ ବୁଝିବା ବା ଟୀକା କରିବା କାଳକ୍ରମେ ଅସମ୍ଭବ ହେବ । ଏପରି କେତେକ ଉଚ୍ଚ ଇଂରାଜି ଶିକ୍ଷିତଙ୍କର ବିଶ୍ୱାସ ଯେ ରୋମାନ୍‌ ଲିପିରେ ମୁଦ୍ରିତ ସଂସ୍କୃତ ଶାସ୍ତ୍ରକୁ କେତେକ ବିଦେଶୀ ରାଷ୍ଟ୍ରରେ ଶିକ୍ଷାକରି ଆଲୋଚନା ଓ ଗବେଷଣା କରୁଥିବା ସ୍ଥଳେ ଆମ୍ଭମାନଙ୍କୁ ରୋମାନ୍ ଲିପି ବ୍ୟବହାର-ଜନିତ ବ୍ୟାକରଣ-ସୂତ୍ର-ପ୍ରୟୋଗ ବିଷୟରେ ଅଚଳ ଅବସ୍ଥାର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ । କିନ୍ତୁ ବିଦେଶରେ ଯେଉଁମାନେ ରୋମାନ୍ ଲିପିରେ ଥିବା ସଂସ୍କୃତ ବିଦ୍ୟା ଶିକ୍ଷା କରନ୍ତି, ସେମାନେ ଅଙ୍ଗହୀନର କାଠଗୋଡ଼ତୁଲ୍ୟ ସଂସ୍କୃତରେ ବ୍ୟବହୃତ ପ୍ରତ୍ୟେକ ବର୍ଣ୍ଣ ପାଇଁ ବର୍ଣ୍ଣଯୋଜନା କରି ସେ ବିଦ୍ୟା ଶିକ୍ଷା କରିବାକୁ ସକ୍ଷମ ହେଉଛନ୍ତି । ବିଶେଷତଃ ସେମାନେ ଏକାଧିକ ରୋମାନ୍ ଲିପି ସଂଯୋଗରେ ଗୋଟିଏ ଗୋଟିଏ ଭାରତୀୟ-ଲିପିର ଯୋଜନା କରିଛନ୍ତି । ସେମାନଙ୍କର ତାଦୃଶ ଲିପିକୁ ଗ୍ରହଣ, କରିବା ଆମ୍ଭମାନଙ୍କ ପକ୍ଷେ ଅଙ୍ଗଛେଦ କରି କାଠଗୋଡ଼ ସଂଯୋଗ କରିବା କୁତ୍ରାପି ଶ୍ରେୟ ନୁହେଁ । ଯାନ୍ତ୍ରିକ ବ୍ୟବହାର ଦୃଷ୍ଟିରୁ ରୋମାନ୍‌ ଲିପିର ପରିକଳ୍ପନା ଅପେକ୍ଷା ବିନ୍ଦୁ (.) ଅବଲମ୍ବନ ଉତ୍କୃଷ୍ଠ ପନ୍ଥା । କାରଣ ଗୋଟିଏ ବିଷୟକୁ ଏହି ବନାନ ପଦ୍ଧତିରେ ଭାରତୀୟ ଲିପିରେ ଓ ରୋମାନ୍‌ ଲିପିରେ ଲେଖାଗଲେ ସାମାନ୍ୟ ବୁଝାଇ ଦେବା ପରେ ଅକ୍ଷର-ପରିଚୟ ଥିବା ଅଧିକାଂଶ ଆମର ଦେଶବାସୀ ଭାରତୀୟ ଲିପିକୁ ପଢ଼ିପାରିବେ; କିନ୍ତୁ ରୋମାନ୍‌ ଲିପିର ଲେଖାକୁ ନୁହେଁ । ଏଣୁ ମୋ ମନକୁ ଆସୁଛି ଯେ ତୃଷାପନୋଦନାର୍ଥେ ରତ୍ନାକର ଅନ୍ୱେଷଣ ତୁଲ୍ୟ ରୋମାନ୍‌ ଲିପିର ଅନୁଧାବନ ଆମକୁ ବିଫଳ-ମନୋରଥ କରିବା ସାର ହେବ । ଯେଉଁ ଦେଶରେ ଇଂରେଜୀଶିକ୍ଷିତ ରୋମାନ୍‌ ଲିପି-ବ୍ୟବହାର-ପଟୁ ଲୋକସଂଖ୍ୟା ଅତି ନଗଣ୍ୟ, ସେ ଦେଶରେ ରୋମାନ୍‌ ଲିପି ଦେଶୀୟ ଲିପି ହେବାରେ କେବଳ ସରକାରୀ ସଂସ୍ଥାରେ ତାହା ବ୍ୟବହୃତ ହେବା ବ୍ୟତୀତ ଅନ୍ୟତ୍ର ଅସମ୍ଭବ ହେବ । ବସ୍ତୁତଃ ବର୍ତ୍ତମାନର ଅବସ୍ଥା ସୁଧାରିବାକୁ ଏହା ପ୍ରକୃଷ୍ଟ ପନ୍ଥା ହୋଇ ନ ପାରେ । ପରନ୍ତୁ ବିଭିନ୍ନ ପ୍ରାନ୍ତୀୟ ଅଧିବାସୀ ନିଜ ନିଜର ଲିପିକୁ ନିର୍ମମ ହୃଦୟରେ ବିସର୍ଜନ ଦେବା ଅସମ୍ଭବ ବ୍ୟାପାର । ପୂର୍ବପୁରୁଷଙ୍କ ଦ୍ୱାରା ସଂଗୃହୀତ ବା ସଂକଳିତ ଯାହା କିଛି ଆମ୍ଭମାନଙ୍କ ପାଖରେ ଅଛି, ତାକୁ ନିଶ୍ଚିହ୍ନ କରିବାକୁ କିଏ ସମ୍ମତି ପ୍ରକାଶ କରିବ, ଏହା କଳ୍ପନାତୀତ-। କୌଣସି ବିଦେଶୀ ଲିପିକୁ ଆମ ରାଷ୍ଟ୍ରୀୟ-ଲିପି ରୂପେ ଗ୍ରହଣ କରିବା ଆଦୌ ସମୀଚୀନ ନୁହେଁ ।

 

***

 

ଦେବନାଗରୀ ଲିପିର ପ୍ରସାର-ପ୍ରସଙ୍ଗ

 

ଯଦି ସୁବିଜ୍ଞ ଉଚ୍ଚଶିକ୍ଷିତମାନେ ଆମ ଭାରତୀୟ ସାହିତ୍ୟକୁ ଆନ୍ତର୍ଜାତିକ ସ୍ତରରେ ପ୍ରଶସ୍ତି ଦେବାକୁ ମନେକରୁଥାନ୍ତି, ତେବେ ସେମାନଙ୍କ ଚିନ୍ତାଧାରା ଆମ ଭାରତୀୟ ଲିପିମାନଙ୍କ ମଧ୍ୟରୁ ସଂସ୍କୃତ-ସାହିତ୍ୟରେ ବିଶେଷରେ ବ୍ୟବହୃତ ଦେବନାଗରୀ ଲିପିକୁ ଆନ୍ତର୍ଜାତୀୟ ସ୍ତରରେ ପରିଚୟ କରାଇବାରେ ନିୟୋଜିତ ହେବାଦ୍ୱାରା ଆମ ସାହିତ୍ୟ ଆନ୍ତର୍ଜାତୀୟ ସ୍ତରରେ ପ୍ରସାର ଲାଭ କରିବା ପଥ ଉନ୍ମୁକ୍ତ ହୋଇ ପାରନ୍ତା । ରୋମାନ୍‌ ଲିପିରେ ମୂଳ ଶବ୍ଦ ଲେଖାଠାରୁ ଉଚ୍ଚାରଣ ପାଇଁ ସ୍ଥଳ ବିଶେଷରେ ଭିନ୍ନ ପ୍ରକାର ଲେଖାଥାଏ । ଗୋଟିଏ ଶବ୍ଦ ବା Word ଦେଖନ୍ତୁ—Gruel (Groo’ el) ଗ୍ରୁଏଲ କିନ୍ତୁ (Gruesome (Groo’ sum) ଗ୍ରୁସମ୍‌ ଏପରି ଲେଖାଥିବାର ଦେଖାଯାଏ । ପୁଣି ବିଭିନ୍ନ Dictionary ରେ Symbol ମଧ୍ୟରେ ଅମେଳ ଦେଖାଯାଏ । ଏପରି ସ୍ଥଳେ ଆମର ଏହି ପ୍ରସ୍ତାବିତ ପଦ୍ଧତିରେ ଦେବନାଗରୀ ଲିପିଦ୍ୱାରା ଯଦି ଇଂରାଜି Pronunciation ପ୍ରଦର୍ଶିତ ଗୋଟିଏ Dictionary ଆମ ରାଷ୍ଟ୍ରର ଆନୁକୂଲ୍ୟରେ ପ୍ରଣୟନ କରାଯାନ୍ତା, ତେବେ ଆମ ଦେଶରେ ସର୍ବତ୍ର Pronunciation ଏକ ହେବା ସଙ୍ଗେ ସଙ୍ଗେ ଆମ ଭାରତୀୟ Pronunciation ଜାଣିବା ଉଦ୍ଦେଶ୍ୟରେ ଆମର ରାଷ୍ଟ୍ରଲିପି ଭାରତ ଭିନ୍ନ ଅନ୍ୟ ଦେଶର ଲୋକମାନଙ୍କ ସମ୍ମୁଖରେ ଉପସ୍ଥାପିତ କରିବା ସୁଗମ ହୁଅନ୍ତା ନାହିଁ କି ?

 

***

 

ପ୍ରସ୍ତାବିତ ପଦ୍ଧତିର ପ୍ରଚାର-ପ୍ରସଙ୍ଗ

 

ଜନସାଧାରଣଙ୍କଦ୍ୱାରା ସମର୍ଥନ ଲାଭ ପରେ ଏହି ବନାନପଦ୍ଧତିକୁ ସର୍ବସାଧାରଣଙ୍କ ମଧ୍ୟରେ କ୍ରମେ କ୍ରମେ ପରିଚିତ କରାଇବାକୁ ନିର୍ଦ୍ଦିଷ୍ଟ ପନ୍ଥା ଗ୍ରହଣ କରିବାକୁ ହେବ । ଅବଶ୍ୟ ଯେଉଁମାନେ ପ୍ରଥମରୁ ଏ ପଦ୍ଧତିରେ ଶିକ୍ଷା ଆରମ୍ଭ କରିବେ, ସେମାନଙ୍କର ତ କୌଣସି ଅସୁବିଧା ନାହିଁ, କିନ୍ତୁ ଅନ୍ୟ ବୟସ୍କମାନେ ଏ ପଦ୍ଧତିରେ ବ୍ୟାବହାରିକ ଜ୍ଞାନ ଲାଭ କରି ଅଭ୍ୟସ୍ତ ହେବାର ଉପାୟ ଅବଲମ୍ବନ ନ କଲେ ଏ ପ୍ରକାର ଲିପି ସଂସ୍କାର ଆମ ସମାଜ ମଧ୍ୟରେ ସଞ୍ଚରିବା କଦାପି ସହଜ ନୁହେ । ଆବଶ୍ୟକତା ଦୃଷ୍ଟିରୁ ଏ ପୁସ୍ତିକାରେ ପ୍ରାଥମିକ ଚେଷ୍ଟା କରାଯାଇଛି ଉଦାହୃତ ବିନ୍ଦୁ-ପ୍ରୟୋଗରେ, ଯହିଁରୁ ବିନ୍ଦୁ ବ୍ୟବହାର କରିବାରେ ସାଧାରଣ ଜ୍ଞାନ ଜନ୍ମିବ । ଅନ୍ୟମାନଙ୍କ ମଧ୍ୟରେ ପ୍ରକାଶକମାନେ ଏହି ପଦ୍ଧତିରେ ଅତି କ୍ଷୁଦ୍ର ଅକ୍ଷର ବ୍ୟବହାର କରି ବିଭିନ୍ନ ଭାଷାରେ ପକେଟ ଡିକ୍‌ସନାରି ପ୍ରକାଶ କଲେ ଶିକ୍ଷିତ ସମାଜର କ୍ରମେ ଏଥିରେ ବ୍ୟାବହାରିକ ଦକ୍ଷତା ବୃଦ୍ଧି ପାଇବ । ଆଉ ମଧ୍ୟ ଆପଣମାନେ ନିଜ ନିଜର ନିମନ୍ତ୍ରଣପତ୍ରରେ ବ୍ୟବହାର କରି ଏବଂ ସମ୍ପାଦକ ମହୋଦୟମାନେ ସେମାନଙ୍କ ପତ୍ରପତ୍ରିକାରେ ସମ୍ବାଦର ସଂକ୍ଷିପ୍ତ ବିବରଣୀକୁ ଶିରୋନାମା ତଳେ ଏ ପଦ୍ଧତିରେ ଦେଇ ଏ ପଦ୍ଧତିର ପ୍ରଚଳନରେ ସାହାଯ୍ୟ କରିପାରିବେ । ସରକାର ଗ୍ରହଣ କଲା ପରେ ପ୍ରଥମେ ଏହାକୁ ଟାଇପ୍‌ରାଇଟରରେ ପ୍ରଚଳନ କରିବାରେ କ୍ରମେ ଏହା ପ୍ରସାରଲାଭ କରିବ-। ଶିକ୍ଷାକ୍ଷେତ୍ରରେ ପ୍ରବେଶ କଲେ ଏ ପ୍ରଚଳନ ପୂର୍ଣ୍ଣତାପ୍ରାପ୍ତ ହେବ ।

 

***

 

ଯାନ୍ତ୍ରିକ ପ୍ରୟୋଗ ପକ୍ଷେ ଗ୍ରହଣୀୟ ଅକ୍ଷର ପ୍ରସଙ୍ଗ

 

ବିନ୍ଦୁଯୁକ୍ତ ଅକ୍ଷର ମିଶି କେତେ ଲଘିଷ୍ଠ ସଂଖ୍ୟକ ଲିପିରେ ଆମର (୧) Typewriting, Teleprinting, Lino-compose, (୨) Hand compose ଓ Mono compose କାର୍ଯ୍ୟ ନିର୍ବାହ କରିପାରିବା, ସେ ଦିଗରୁ ମଧ୍ୟ ଏ ପଦ୍ଧତିର ଉପଯୋଗିତା ବିଷୟ ସ୍ଥିର କରିବା --୧ମ ତିନି ପ୍ରକାର ଯାନ୍ତ୍ରିକ ବ୍ୟବହାର ଲାଗି ସର୍ବମୋଟ ୬୬ଟି ଲିପି ଓ ସଂପୃକ୍ତ ମାତ୍ରା (ସଙ୍କେତ) ମିଶି ପ୍ରୟୋଜନ ହେବ ଏବଂ ୨ୟ ଦୁଇପ୍ରକାର ଯାନ୍ତ୍ରିକ ବ୍ୟବହାର ପାଇଁ ସର୍ବମୋଟ ୮୨ଟି ଲିପି ଓ ସଂପୃକ୍ତ ମାତ୍ରା (ସଙ୍କେତ) ମିଶି ପ୍ରୟୋଜନ ହେବ । ସଂଖ୍ୟାଲିଖନ ଓ ସାଙ୍କେତିକ (ଲିଖନରୀତି ନିୟନ୍ତ୍ରଣକାରୀ ଚିହ୍ନ) ମୋଟ ୨୪ଟି ନେଇ ଟାଇପରାଇଟିଙ୍ଗ ଆଦି ଚଳି ପାରିବ ଏବଂ ସୁବିଧା ଦୃଷ୍ଟିରୁ ଏହି ସଂଖ୍ୟାରୁ ଅଧିକ ବ୍ୟବହାର କରାଯାଇ ପାରେ ହାଣ୍ଡକମ୍ପୋଜ ଓ ମନୋକମ୍ପୋଜରେ ।

 

ଯାନ୍ତ୍ରିକ ପ୍ରୟୋଗ ପକ୍ଷେ ଗ୍ରହଣୀୟ ଅକ୍ଷର

ଅ ଆ ଇ ଈ ଉ ଊ ଋ ଏ ଐ ଓ ଔ (ଅ)

କ ଖ ଗ ଘ ଙ ଚ ଛ ଜ ଝ ଞ ଟ ଠ

ଡ ଢ ଣ ତ ଥ ଦ ଧ ନ ପ ଫ ବ ଭ

ମ ଯ ୟ ର ଳ ଲ ବ ଶ ଷ ସ ହ କ

ଆ ଇ ଉ ଋ ଏ ଐ ଓ ଔ(ତ) ନ ମ ର

ଳ ବ ଯ ଃ (ଙ) (ଞ) (ଣ) (ନ) (ମ) (ଗ) (ଜ) (ଡ)

(ଦ) (ବ) (ଶ) (ଷ) (ଳ) (ତ) ର ସ

 

ବିଶେଷ ଦ୍ରଷ୍ଟବ୍ୟ :- ବନ୍ଧନୀ ମଧ୍ୟସ୍ଥ ବିନ୍ଦୁଯୁକ୍ତ ବର୍ଣ୍ଣ ଲାଇନୋକମ୍ପୋଜ, ଟାଇପ୍‌ରାଇଟର ଓ ଟେଲିପ୍ରିଣ୍ଟର ପାଇଁ ଗ୍ରହଣ କରାଯିବ ନାହିଁ ।

 

କେବଳ (.) ବିନ୍ଦୁ ସଂଯୋଜକ ଏବଂ(-) ବିନ୍ଦୁଯୁକ୍ତ ଅନ୍ତର ଚିହ୍ନ ବିଭେଦକ ଏପରି ହଳନ୍ତର ପ୍ରୟୋଗ ବିନ୍ଦୁଯୁକ୍ତ ବର୍ଣ୍ଣ ଅଭାବରେ ମୂଳ ବର୍ଣ୍ଣ ପରେ ଦିଆଯାଏ । ଅନେକ ଶବ୍ଦରେ ଉଭୟବିଧ ବିନ୍ଦୁ ପ୍ରୟୋଗରେ ଉଚ୍ଚାରଣ ସମାନ ହେତୁ ସେପରି ଶବ୍ଦରେ ଏଥିରୁ ଯେ କୌଣସିଟି ବ୍ୟବହାର୍ଯ୍ୟ ଅଟେ ।

 

ପ୍ରଚଳିତ

ଲାଇନୋ-କମ୍ପୋଜ ଟେଲିପ୍ରିଣ୍ଟର

ହାଣ୍ଡକମ୍ପୋଜ, ମନୋକମ୍ପୋଜ ଟାଇପ୍‌ ରାଇଟର

ଦଣ୍ଡକାରଣ୍ୟ

ଦଣ-ଡକଆରଣଯ

ଦଣଡକଆରଣଯ

ଅଭୂତପୂର୍ବ

ଅଭଉ ଉତପଉ ଉରବ

ଅଭଉ ଉତପଉ ଉରବ

ଆନନ୍ଦ୍ରାଶ୍ରୁ

ଆନନ-ଦଆଶର ଉ

ଆନନଦଆଶରଉ

ସର୍ବୋତ୍କୃଷ୍ଟ

ସରବ ଓତ କଋଷ-ଟ

ସରବ ଓତକଋଷଟ

ପର୍ଯ୍ୟବେକ୍ଷଣ

ପରଯଯବଏକଷଣ

ପରଯଯବଏକଷଣ

ଆଶୀର୍ବାଦ

ଆଶଇଇରବଆଦ

ଆଶଇ ଇରବଆଦ

ସମାଲୋଚନା

ସମଆଲ ଓଚନଆ

ସମ ଆଲ ଓଚନଆ

 

 

 

 

ବିନ୍ଦୁ ପ୍ରୟୋଗ ସୂଚନା(୧) ବିନ୍ଦୁ ଶିରୋଭାଗରେ ବାମପାର୍ଶ୍ୱରେ ଥିଲେ ତତ୍‌ପୂର୍ବ ବର୍ଣ୍ଣ ହଳନ୍ତଯୁକ୍ତ ହୁଏ, (୨) ବିନ୍ଦୁ ଶିରୋଭାଗରେ ଦକ୍ଷିଣ ପାର୍ଶ୍ୱରେ ଥିଲେ ସେହି ବର୍ଣ୍ଣକୁ ହଳନ୍ତଯୁକ୍ତ ବୁଝିବାକୁ ହୁଏ, ଏବଂ (୩) ବିନ୍ଦୁସ୍ଥିତି ଉଭୟପାର୍ଶ୍ୱରୁ ବର୍ଣ୍ଣର ସଂଯୁକ୍ତ-ଉଚ୍ଚାରଣ କରିବା ବୁଝାଯାଏ ।

 

***

 

ହିନ୍ଦୀ ଓ ହିନ୍ଦସ୍ତାନୀ ଭାଷା-ପ୍ରସଙ୍ଗ

 

ଲିପି ସଙ୍ଗେ ଭାଷାର ଅଖଣ୍ଡ ସମ୍ପର୍କ ହେତୁ ଲିପି-ସଂସ୍କାର ସଙ୍ଗେ ଭାଷା ବିଷୟରେ କିଛି କହିବା ଆବଶ୍ୟକ ମନେକରି ମୋର ପ୍ରାସଙ୍ଗିକ ବ୍ୟାଖ୍ୟାନ ମଧ୍ୟରେ ଭାଷା ସମ୍ବନ୍ଧେ କହିବାକୁ ଯାଉଛି । ଯାହାକି କହିବି, ଆପଣମାନେ ତାହା ଭାରତୀୟ ସମ୍ବିଧାନର ଅନୁବର୍ତ୍ତୀ ବିଷୟ ବୋଲି ଅନୁଭବ କରିବେ ଏବଂ ଭାଷା-କମିସନଙ୍କର ମତବାଦ ଉପରେ ଗୁରୁତ୍ୱ ଦିଆଯାଇଥିବା ମଧ୍ୟ ତା ମଧ୍ୟରେ ଲକ୍ଷ୍ୟ କରିବେ । ଲିପିକୁ ସରଳ କରିବାରେ କେବଳ ଆମ୍ଭେମାନେ ନିଶ୍ଚିନ୍ତ ହୋଇପାରିବା ନାହିଁ । ଆମ୍ଭମାନଙ୍କର ଭବିଷ୍ୟତ୍‌ ପାଇଁ ଭାଷା ଓ ଶିକ୍ଷାର ସୁଗମ ପ୍ରଣାଳୀ ଗ୍ରହଣ କରିବାର ଆବଶ୍ୟକତା ଅଛି । ଶିକ୍ଷାସ୍ତରରେ ଆମ୍ଭମାନଙ୍କ ଉପରୁ ଅତିରିକ୍ତ ଚାପ ହ୍ରାସ କରିବାର ପନ୍ଥା ଗୋଟିଏ ଅତି ଆଦରଣୀୟ ପନ୍ଥା । ବର୍ତ୍ତମାନ ସର୍ବୋଚ୍ଚସ୍ତରରେ ଆମ ଦେଶର ଶିକ୍ଷାକ୍ଷେତ୍ରରେ ତ୍ରି ଭାଷୀ ପ୍ରଚଳନ ବ୍ୟବସ୍ଥା ଗୃହୀତ ହୋଇ କାର୍ଯ୍ୟକାରୀ ହେବା ଅବସ୍ଥାକୁ ଆସୁଛି । ବିଭିନ୍ନ ରାଜ୍ୟରେ ବିଭିନ୍ନ ମତ । କେଉଁଠାରେ ଦାବି ହେଉଛି ‘ଇଂରେଜୀ ଭାଷାକୁ ହଟାଅ’ ତ କେଉଁଠାରେ ଦାବି ହେଉଛି ‘ଇଂରାଜୀ ଭାଷା ପ୍ରଚଳନର ନିର୍ଭର ପ୍ରତିଶ୍ରୁତି ମିଳୁ’ । ବହୁମତରେ ହିନ୍ଦୀକୁ ରାଷ୍ଟ୍ରଭାଷାରୂପେ ଗ୍ରହଣ କରିବାକୁ ସମର୍ଥନ ଥିଲେ ମଧ୍ୟ ଦକ୍ଷିଣ ଭାରତର ତୀବ୍ର ପ୍ରତିବାଦକୁ ଏଡ଼ି ହିନ୍ଦୀକୁ ରାଷ୍ଟ୍ରଭାଷା ଆଖ୍ୟା ଦେବା ପ୍ରତି ବ୍ୟାଘାତ ହେଉଛି । ଫଳତଃ ତ୍ରିଭାଷୀ-ପ୍ରଚଳନ ବୋଝର ସୃଷ୍ଟି ହୋଇଛି । ବିବାଦ ନିଷ୍ପତ୍ତିରେ ବିବାଦୀୟ ପକ୍ଷକୁ ଆକୃଷ୍ଟ କରିବା ବ୍ୟବସ୍ଥାଠାରୁ ଉତ୍କୃଷ୍ଟ ପନ୍ଥା କିଛି ନାହିଁ । କୌଣସି ନିଷ୍ପତ୍ତିରେ ଗୋଟିଏ ପକ୍ଷ ବିଶେଷ ସୁବିଧା ପାଇବାର କାରଣ ଥିଲେ ଅନ୍ୟ ପକ୍ଷ ସେପରି ନିଷ୍ପତ୍ତି ଗ୍ରହଣ କରେ ନାହିଁ । ସେହିପରି ମଧ୍ୟ ଆମେ ଯାହାକୁ ଯେତିକି ଦେବା, ତାଠାରୁ ପାଇବାକୁ ସେତିକି ଆମର ନ୍ୟାଯ୍ୟ ଦାବି ହେବ ଏହା ସ୍ୱୀକାର୍ଯ୍ୟ । ଏହି ନୀତିକୁ ଅବଲମ୍ବନ କଲେ ଆମ୍ଭେମାନେ ଅବଶ୍ୟ ରାଷ୍ଟ୍ରଭାଷା ତଥା ରାଷ୍ଟ୍ର-ଲିପି ନିରୂପଣ ଦିଗରେ ଅନତିବିଳମ୍ବେ ଲକ୍ଷ୍ୟସ୍ଥଳରେ ପହଞ୍ଚି ପାରିବା । ଏପରି କରା ନ ହେଲେ ସଂଯୋଗ ରକ୍ଷାକାରୀ ଭାଷାର ଅଭାବରୁ ଇଂରେଜୀ ଭାଷା ଅଗତ୍ୟା ଶିକ୍ଷାର ଅଙ୍ଗୀଭୂତ ରହିଥିବ । ଏ ସମସ୍ତର ବିଚାର କରି ସହଜରେ ବୁଝିପାରିବା ଆମ ଦେଶରେ ରାଷ୍ଟ୍ରୀୟ ଭାଷାର ସ୍ଥାନ ଗ୍ରହଣ କରିବାକୁ ଯଦି ପରମ୍ପରା ପ୍ରଚଳିତ ହିନ୍ଦୀ ଭାଷାକୁ ବିରୋଧ କରାଯାଉଛି, ତେବେ ସମ୍ବିଧାନ ସମ୍ମତ ଭାରତୀୟ ଭାଷାମାନଙ୍କର ସମନ୍ୱୟରେ ରାଷ୍ଟ୍ରୀୟ-ହିନ୍ଦୀ ଭାଷା ଗଢ଼ାଯିବା ଉଚିତ ଏବଂ ସେପରି ଭାଷା ସୃଷ୍ଟି କରିବାକୁ କେଉଁ ସୂତ୍ର ଅବଲମ୍ବନ କରାଯାଇ ପାରିବ, ତାହା ସ୍ଥିର କରିବା ଆବଶ୍ୟକ । ଏ ତ ଗୋଟିଏ ଅତି ଜଟିଳ ସମସ୍ୟା । ଏଥିପାଇଁ ବିଭିନ୍ନ ରାଜ୍ୟରୁ ମତ ସଂଗ୍ରହ କରାଯାଇ ଶେଷ ନିଷ୍ପତ୍ତି ପ୍ରତି ଚେଷ୍ଟା କରାଯିବା ବାଞ୍ଛନୀୟ । ଏ ବିଷୟରେ ମୁଁ ସାମାନ୍ୟ ଆଭାସ ଦେଉଛି—ଏବେ ହିନ୍ଦୀ ପରିବର୍ତ୍ତେ, ରାଷ୍ଟ୍ରୀୟ-ହିନ୍ଦୀ ଭାଷା (ହିନ୍ଦୀ ଭାଷାର କେତେକ ପରିବର୍ତ୍ତନ ସହିତ ଭାଷା, ଯଥା—ଲିଙ୍ଗ ବିହୀନ ବିଭକ୍ତି ଓ କ୍ରିୟା ପ୍ରୟୋଗ ଏବଂ ସଂସ୍କୃତ ଶବ୍ଦ ବା ସଂସ୍କୃତ ଅନୁସୃତ ସୌସାଦୃଶ୍ୟ ଥିବା ସାଧୁ ଶବ୍ଦସମୂହ ପୂର୍ବ-ଭାରତ ସାହିତ୍ୟରୁ ଗ୍ରହଣ କରି, ଉତ୍ତର-ଭାରତରୁ ଅନୁରୂପ ସଂସ୍କୃତ ଶବ୍ଦ ଓ ସାଧୁ ଶବ୍ଦ ଏବଂ ବ୍ୟାକରଣକୁ ବିଭକ୍ତି ଓ କ୍ରିୟାରେ ଲିଙ୍ଗ ପ୍ରୟୋଗ ସୂତ୍ର ବିବର୍ଜିତ ସଂଶୋଧିତ ପ୍ରକରଣରେ ଗ୍ରହଣ କରି ଏବଂ ଦକ୍ଷିଣ-ଭାରତରୁ ସଂସ୍କୃତ ଶବ୍ଦ ନ ଥିବା ସ୍ଥଳେ ଦେଶଜ ଶବ୍ଦ ସମୂହ ଗ୍ରହଣ କରି, ଯେଉଁ ଭାଷା ସୃଷ୍ଟି ହେବ) ସେହି ଭାଷାରେ ପ୍ରତ୍ୟେକ ଅଞ୍ଚଳ ପ୍ରତି ସମ୍ମାନ ଦିଆଯାଉଥିବ, ତେବେ ତାହା ସମସ୍ତଙ୍କଦ୍ୱାରା ଆଦୃତ ହେବାର ଯଥେଷ୍ଟ ସମ୍ଭାବନା ରହିବ । ପୁନଶ୍ଚ ଏପରି ଭାଷା ପ୍ରଚଳନରେ କୌଣସି ରାଜ୍ୟର ଅଧିବାସୀ ବିଶେଷ ସୁବିଧା ଉପଭୋଗ କରିବାର କାରଣ ନ ଥିବାରୁ ବିରୋଧଭାବର ଅବକାଶ ରହିବ ନାହିଁ । ଅଧିକନ୍ତୁ ଏପରି ରାଷ୍ଟ୍ରୀୟ-ହିନ୍ଦୀ ଭାଷା ଗୃହୀତ ହେବାର ତ୍ରିଭାଷୀ ପ୍ରଚଳନର ଆବଶ୍ୟକତା ରହିବ ନାହିଁ । ପିଲା ମାତୃଭାଷାରେ ଶିକ୍ଷା ଆରମ୍ଭ କରି ରାଷ୍ଟ୍ରୀୟ-ହିନ୍ଦୀ (ହିନ୍ଦସ୍ତାନୀ) ଭାଷାରେ ଶିକ୍ଷାର ଶୀର୍ଷ ସ୍ଥାନରେ ପହଞ୍ଚିପାରିବ । ଇଂରାଜୀ ଓ ସଂସ୍କୃତ ଭାଷାକୁ ଇଚ୍ଛାଧୀନ ପର୍ଯ୍ୟାୟରେ ରଖାଯାଇ ମେଧାବୀ ଛାତ୍ରଛାତ୍ରୀଙ୍କୁ ଏପରି ଶିକ୍ଷା ଦେବାର ବ୍ୟବସ୍ଥା ରଖାଗଲେ ଆମ୍ଭମାନଙ୍କୁ କୌଣସି ଅସୁବିଧାର ସମ୍ମୁଖୀନ ହେବାର ଆଶଙ୍କା ରହିବ ନାହିଁ । (ଅତିରିକ୍ତ ଶିକ୍ଷାରେ କୃତୀ ସନ୍ତାନଙ୍କୁ ତଦ୍ରୂପ ପୁରସ୍କୃତ କରି ଉତ୍ସାହିତ କରି ହେବ ।) ଏହାଦ୍ୱାରା ଶିକ୍ଷାକ୍ଷେତ୍ରରେ କୋଟି କୋଟି ଟଙ୍କା ବ୍ୟୟରୁ ରକ୍ଷା ମିଳିବ । ରାଷ୍ଟ୍ରୀୟ ସ୍ତରରେ ପ୍ରୟୋଜନ ନ ଥିବା ତୃତୀୟ-ଭାଷା ଶିକ୍ଷା ବାଧ୍ୟତାମୂଳକ ହେବାର ପ୍ରୟୋଜନ ହେବ ନାହିଁ । ଏଭଳି ରାଷ୍ଟ୍ରୀୟ-ହିନ୍ଦୀକୁ ପରମ୍ପରାଗତ ହିନ୍ଦୀଭାଷୀ ବିରୋଧ କରିବା ଅବିଧେୟ ହେବ ।

 

***

 

ଉପସଂହାର

 

ମୋର ଅନୁରୋଧ ଓ ବିଶ୍ୱାସ, ଆମ ଦେଶର ସୁବିଜ୍ଞ ସୁଧୀବର୍ଗ ଏଥିରେ ପ୍ରସଙ୍ଗାୟିତ ସମସ୍ତ ବିଷୟର ଯଥୋପଯୁକ୍ତ ବିଚାର କରି ନିଷ୍ପତ୍ତି ଗ୍ରହଣ କରି, ମୋର ଶ୍ରମ ସାର୍ଥକ କରିବାରେ ସହାୟ ହେବେ ।

 

ଜୟ କିସାନ, ଜୟ ଯବାନ, ଜୟ ହିନ୍ଦ-

 

ଗ୍ରାମ ଓ ପୋ: ଅ: ମହୁଖଣ୍ଡା,

କାମଦେବ ତ୍ରି ପାଠୀ

ଜିଲା: ପୁରୀ

ତା ୨୫।୯।୬୭

 

***

 

ଲିପି-ସଂସ୍କାର ଓ ଅଭିମତ

 

କଟକର ଦୈନିକ ପତ୍ରିକାମାନଙ୍କରେ ପ୍ରକାଶିତ ବିନ୍ଦୁ ଅବଲମ୍ବନରେ ଲିପି ସଂସ୍କାର ସମ୍ବନ୍ଧରେ ଓଡ଼ିଶାର କେତେଜଣ ବିଶିଷ୍ଟ ସାହିତ୍ୟିକଙ୍କଠାରୁ ଯେଉଁ ଅଭିମତ ପାଇଛି, ତାହା ଏଠାରେ ଉଦ୍ଧାର କଲି ।

 

ପ୍ରବୀଣ ସାହିତ୍ୟିକ ଅବସରପ୍ରାପ୍ତ ଅଧ୍ୟାପକ ଶ୍ରୀଯୁକ୍ତ ବିପିନବିହାରୀ ରାୟ ଲେଖିଛନ୍ତି—

 

(୧) ଭାରତର ବିଭିନ୍ନ ପ୍ରଦେଶର ସାହିତ୍ୟିକମାନଙ୍କର, ପ୍ରାଦେଶିକ ଭାଷାବିତ୍‌ ଓ ସଂସ୍କୃତ ପଣ୍ଡିତଙ୍କର ବିଚାରଯୋଗ୍ୟ ।

 

(୨) ଏ କାର୍ଯ୍ୟ ଭାଷାଗତ ସଂସ୍କାର-ସଂଶୋଧନ-ମୂଳକ କାର୍ଯ୍ୟ ।

 

(୩) ଏଥିରେ ପ୍ରାଦେଶିକ ଭାଷାର ସମନ୍ୱୟ ଚେଷ୍ଟା କରାଯାଇଛି ।

 

ବିଶିଷ୍ଟ ବୈୟାକରଣିକ, ଅବସର ପ୍ରାପ୍ତ ପଣ୍ଡିତ ଶ୍ରୀଯୁକ୍ତ କୁଳମଣି ଦାଶ ପୁରୀ ଲେଖିଛନ୍ତି—

 

ଏ ଯୁଗରେ ଟେଲିପ୍ରିଣ୍ଟିଂ ଓ ଟାଇପ୍‌ରାଇଟିଂ ପ୍ରଭୃତି ଉଦ୍ଭାବିତ ହୋଇଥିବାରୁ ଆମ ଭାରତୀୟ ଭାଷାମାନଙ୍କରେ ଲିପି-ସଂସ୍କାରର ଆବଶ୍ୟକତା ଦେଖାଦେଇଛି । ଏଥି ପୂର୍ବରୁ ଏ ବିଷୟରେ ଅନେକ ଚେଷ୍ଟା କରିଯାଇଛନ୍ତି । ଶ୍ରଦ୍ଧେୟ ଶ୍ରୀମାନ୍‌ କାମଦେବ ତ୍ରିପାଠୀ ସେ ସମ୍ବନ୍ଧରେ ଯେଉଁ ନୂତନ ପ୍ରଣାଳୀ ଉଦ୍ଭାବନ କରିଛନ୍ତି, ତାହା ବ୍ୟାକରଣ ଶବ୍ଦମାନଙ୍କରେ ଅକ୍ଷର ବଶ୍ଲେଷଣ ଅନୁରୂପ । ହସନ୍ତ(`) ଚିହ୍ନ ପରିବର୍ତ୍ତରେ ବିନ୍ଦୁ (.) ବ୍ୟବହାର ହିଁ ତାଙ୍କର ବିଶେଷତ୍ୱ । ବଙ୍ଗଳା, ହିନ୍ଦୀ, ଓଡ଼ିଆ ଟାଇପ୍‌ରାଇଟିଂ ପ୍ରଭୃତିରେ ଯେଉଁ ପ୍ରଣାଳୀ ଅନୁସୃତ ହୋଇଅଛି, ତାହାକୁ ଅନୁଧ୍ୟାନ କଲେ ଉଦ୍‌ଭାବକ ନୂତନ ପ୍ରଣାଳୀର ଉନ୍ନତି କରିବେ ବୋଲି ତାଙ୍କୁ ପରାମର୍ଶ ଦେଇଅଛି ।

 

ରେଭେନ୍‌ସା କଲେଜର ଅଧ୍ୟାପକ ଭାଷାବିତ୍‌ ଗୋଲୋକବିହାରୀ ଧଳ ଏମ.ଏ.(ଲଣ୍ଡନ) ଲେଖିଛନ୍ତି—

 

ମୁଁ ଶ୍ରୀ ତ୍ରିପାଠୀଙ୍କ ସଂସ୍କାର ବିଷୟରେ ତାଙ୍କ ସହିତ କେତେକ ଆଲୋଚନା କରିବାର ସୁଯୋଗ ପାଇଛି । ବିଚାରରୁ ଦେଖାଯାଉଛି ଯେ ଲେଖାକୁ ଏକରୈଖିକ ଅର୍ଥାତ ତଳ ଉପର ମାତ୍ରା ନ ଦେଇ (ରୋମାନ ଲିପି ପରି ପାର୍ଶ୍ୱରେ ପୂର୍ଣ୍ଣ ଅକ୍ଷର ଦେଇ) କରିବା ପାଇଁ ଚିନ୍ତା କରୁଛନ୍ତି । ଏଥିରେ ଛାପା ଓ ହସ୍ତଲିଖନ ଏହିପରି ଦୁଇ ପ୍ରକାର ଲେଖାର ଆବଶ୍ୟକତା ପଡ଼ିବ । ବିନ୍ଦୁଯୋଗ ଛାପାକୁ ଅସ୍ପଷ୍ଟ କରିବ କି ନାହିଁ ଓ ହଳନ୍ତ ପରି ବିନ୍ଦୁ ଛାପାକ୍ଷେତ୍ରରେ ସମସ୍ୟା ସୃଷ୍ଟି କରିବ କି ନାହିଁ, ପ୍ରକୃତରେ ମୁଦ୍ରଣ ବିଶେଷଜ୍ଞମାନଙ୍କର ତାହା ବିଚାର୍ଯ୍ୟ । କାରଣ ଏ କ୍ଷେତ୍ରରେ ଲିପ—ସଂସ୍କାର ମୁଦ୍ରଣ ସଂସ୍କାରର ବିଶେଷ ସମସ୍ୟା ପରି ମନେ ହେଉଛି । ଏହି କ୍ଷେତ୍ରରେ ଥିବା ବିଶେଷଜ୍ଞମାନେ ଏ ବିଷୟରେ ଯାହା ମତ ଦେବେ, ତାହାରି ଉପରେ ଏ ପଦ୍ଧତିର ଭବିଷ୍ୟତ ନିର୍ଭର କରିବ ବୋଲି ମୋର ଆଶା ।w

 

ସ୍ୱନାମଧନ୍ୟ ସାହିତ୍ୟିକ ଶ୍ରୀଯୁକ୍ତ କାଳିନ୍ଦୀଚରଣ ପାଣିଗ୍ରାହୀ ଲେଖିଛନ୍ତି---

 

ଓଡ଼ିଆ ଲିପି ସଂସ୍କାର ଲାଗି ଶ୍ରୀ କାମଦେବ ତ୍ରିପାଠୀଙ୍କ ଉଦ୍ୟମ ପ୍ରଶଂସନୀୟ । ଓଡ଼ିଆ ଲିପି ବର୍ତ୍ତମାନ ଯେଉଁ ଅବସ୍ଥାରେ ଅଛି, ଅତୀତରେ ତମ୍ବା-ପଟ୍ଟା କିମ୍ବା ପ୍ରସ୍ତରଗାତ୍ରରେ ମିଳୁଥିବା ଲିପି ଅପେକ୍ଷା ତାହାର ଅବଶ୍ୟ ଅନେକ ସଂସ୍କାର କୌଣସି ବିଧିବଦ୍ଧ ଉଦ୍ୟମ ବ୍ୟତୀତ କେବଳ କାଳକ୍ରମେ ହୋଇଯାଇଛି । ବର୍ତ୍ତମାନ ଟାଇପ୍‌ରାଇଟର ଓ ମୁଦ୍ରଣାଳୟ ଯୁଗରେ ଏହାର ସଂସ୍କାର ଅନୁଭୂତ ହେଲାଣି । ଏଥିପୂର୍ବରୁ ମଧ୍ୟ କେତେକ ଉଦ୍ୟମ ହୋଇଥିଲେ ହେଁ ତାହା ପୂର୍ଣ୍ଣରୂପେ ଗୃହୀତ ହୋଇପାରି ନାହିଁ । ଶ୍ରୀ ତ୍ରିପାଠୀ ଯେଉଁସବୁ ପରିବର୍ତ୍ତନ ପାଇଁ ପ୍ରସ୍ତାବ କରନ୍ତି ପତ୍ର-ପତ୍ରିକାରୁ ପୁଣି ତାଙ୍କଠାରୁ ମଧ୍ୟ ମୁଁ ତାର ସୂଚନା ପାଇଛି । ଏ ଦିଗରେ କେତେକ ଅଭିଜ୍ଞ ଓ ସୁବିଜ୍ଞ ବ୍ୟକ୍ତି ଏକତ୍ର ମିଳିତ ହୋଇ ଗୋଟିଏ ସୁନିର୍ଦ୍ଦିଷ୍ଟ ପନ୍ଥା ସ୍ଥିର କଲେ ତାହା ଗ୍ରହଣୀୟ ହୋଇପାରିବ ।

 

ଶ୍ରୀଯୁକ୍ତ ରାମକୃଷ୍ଣ ନନ୍ଦ, ବି. ଏ. (ଅନର୍ସ), ଡି. ଇଡ଼ି. ଲେଖିଛନ୍ତି:--

 

 

କଟକ

 

ତା ୧୮।୨।୬୮

 

ଶ୍ରୀ କାମଦେବ ତ୍ରିପାଠୀଙ୍କ ନୂତନ ଲିପିସଂସ୍କାର ସମ୍ବନ୍ଧରେ ମୁଁ ପ୍ରଥମରୁ ଅବିହିତ ଅଛି । ସେ ଦୀର୍ଘକାଳ ଧରି ଏ ବିଷୟରେ ଚିନ୍ତା କରି ଉତ୍କଳର ସୁଧୀବର୍ଗଙ୍କ ନିକଟରେ ମତାମତା ପାଇଁ ଏହାକୁ ବର୍ତ୍ତମାନ ଉପସ୍ଥାପନ କରୁଛନ୍ତି । ଏହାର ଉପାଦେୟତା ନିଶ୍ଚୟ ସ୍ୱୀକାର୍ଯ୍ୟ । ଏହି ନୂତନ ଲିପି ପ୍ରବର୍ତ୍ତିତ ହେଲେ ମୁଦ୍ରଣ କାର୍ଯ୍ୟରେ ଫଳା, ମାତ୍ରା ଓ ଯୁକ୍ତାକ୍ଷର-ଜନିତ ଯେଉଁ ଅସୁବିଧା ଦେଖାଯାଏ, ତାହା ସମ୍ପୂର୍ଣ୍ଣ ଦୂର ହେବ । ବର୍ତ୍ତମାନର ଭାଷା ସମସ୍ୟାର ସମାଧାନ ଦିଗରେ ସେ ମଧ୍ୟ କିଛି ସୂଚନା ଦେଇଛନ୍ତି । ତେବେ ପ୍ରଥମରୁ ଏହି ନୂତନ ଲିପିକୁ ଗ୍ରହଣ କଲାବେଳେ ଲେଖାପଢ଼ାରେ ନିଶ୍ଚୟ ଅସୁବିଧା ଲାଗିବ । ଏହି ଲିପିରେ ଲିଖନ ବା ମୁଦ୍ରଣ କଲେ ପାଠର ଆକାର ବଢ଼ିଯିବ ବୋଲି ମନେହେଉଛି । ତେବେ ପ୍ରସ୍ତାବିତ ନୂଆ ଲିପି ଫଳା ଓ ମାତ୍ରାବର୍ଜିତ ହୋଇଥିବା ଯୋଗୁ ଧାଡ଼ିଗୁଡ଼ିକ ଲଗାଲଗି ରଖାଯାଇପାରେ । ମୋଟ ଉପରେ ପ୍ରଚଳିତ ଏବଂ ପ୍ରସ୍ତାବିତ ଦୁଇଟି ଲିପିର ତୁଳନାତ୍ମକ ସମୀକ୍ଷା ବିଚାରଯୋଗ୍ୟ ମନେହୁଏ ।

 

ପ୍ରଯୋଜକ

 

***

 

THOUGHT

 

VOL.XIX No.49 DELHI, Saturday December 9, 1967

LETTERS TO THE EDITOR

(THE PROBLEM OF A COMMON SCRIPT)

 

Sir,-

 

The language problem is proving a threat to our emotional integration, as there are diverse races in our country speaking diverse languages. Some leaders are contemplating a single language for the whole of India which has evoked antagonism. But to bring about such uniformity the first thing to tackle is the problem of the script. Now there are several regional languages with their own script, a stumbling block in the interchange of inter-provincial ideas. Linguists like Dr. S.K. Chatterjee suggest the introduction of the Roman Script for all the languages in India.

 

I would like to point out that the percentage among the literate acquainted with the Roman script is microscopic. Our people are too conservative and too much guided by sentiment to allow their own script to be replaced by a foreign script-Which the Roman script is. Of course Governmental work may be carried on with the Roman script. But the common man will remain unacquainted with it. Hence the idea of the Roman script is preposterous. We should attempt the evolution of a simplified script simplified script which will be acceptable to all the different regions of this vast country. Devanagari is the common script used in the Northern States of India and by Marathi. Even in the South and East those versed in Sanskrit Literature are very well acquainted with it.

 

If the Devanagari script could be simplified and modified, it would also appeal to the non-Hindi speaking people from other language groups. Such simplification should benefit not only the readers all over India, but should be suitable for the purpose of typewriting, teleprinting as also for mono-composing.

 

In some Oriya dailies, articles were published suggesting modification of the script by use of symbols. A dot placed upwards on the right side of a consonant indicates that the consonant is vowelless, or that it is generally to be uttered in combination with the next letter of the word. When combination with the next latter seems undesirable, a hyphen should be placed, after the dot-marked consonant. Thus we would be able to avoid all sings of vowels and addable consonants and also use of combined letters, used at present, Thus modification would enable us to use Devanagari conveniently for reading, printing, typewriting, teleprinting and mono-composing, side by side with other Indian scripts.

 

The fact that for typewriting and teleprinting 66 letters and for printing and mono-composing 82, including dotmarked letters will be sufficient, is another attraction of this reform.

 

Cuttack

Kamdeb Tripthy

 

नूतन लिपि संस्कार

यांत्रिक प्रयोगके लिये ग्रहणीय लिपि

 

कं

(अं)

आं

इं

उं

ऋं

एं

ऐं

ओं

औं

(तं)

नं

मं

यं

रं

लं

वं

(ङं)

(ञं)

(णं)

(नं)

(मं)

(गं)

(जं)

(डं)

(दं)

(बं)

(तं)

(शं)

(षं)

(लं)

(सं)

(रं)

:

 

 

विशेष द्रस्टव्य :- बंधनीके अंदर बिन्दुयुक्त हरप लाइनोकम्पोज, टाइपराईटर और टेलीप्रिंटरमें नहीं रहेगा (') केबल बिंदु संयोजक और (-) बिंदु के साथ अंतर संकेत बिभेदक, ऐसा हलन्तप्रयोग बिंदु मिलहुआ हरप बनाने के लिये आता है कितने शब्द ऐसे हैं जिसमें दोनों किसमके इलैंसे उच्चारणमे फरक नहीं होता, यहाँ जो कोई एक भी जोड़ा जा (थोड़ा या) सकता अनुस्वारके लिये (मं) और चन्द्रबिन्दुके लिये (नं) जोड़ना (तोडना) होता

 

बिंदु अबलम्बनसे शब्दोंका नमून -

 

 

 

मनोकम्पोज

 

 

हार्डकम्पोज

लाइनोकम्पोज

 

टाइपराइटर

टेलीप्रिंटर

प्रचलित

दणंडकंआरणंय

दणं-डकंआरणंय

दण्डकारण्य

आननंदंआशंरंउ

आननं-दं आशंरंउ

आनंदास्र

जं यं ओतं संनं

जं यं ओतं-सं नं

ज्योत्स्ना

तं ॠषंणं

तं ॠषं-णं

तृष्णा

रं वं कं

रं वं कं

पर्यवेक्षण

शं इं रंवं आद

शं इं रंवं

आशीर्वाद

सं थं

सं थं

अवस्थान

तं कंषं

तं कंषं

आत्मरक्षया

बं दं इं रं

बं दं इं रं

बिद्रोण

णं डं

णं डं

पण्डा

मं कंषण

मं- कंषण

संरक्षण

मं -यं कंत

मं -यं कंत

संयुक्त

 

***